କର୍ଣ୍ଣାଟକ ପାଇଁ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଦିନ: ଅଠରରେ ଆସ୍ଥା ପରୀକ୍ଷା ଦେବେ ‘ସ୍ୱାମୀ ସରକାର’

203

କନକ ବ୍ୟୁରୋ: ନଅ ଦିନ ଧରି ଚାଲିଛି କର୍ଣ୍ଣାଟକରେ ନାଟକ । ଜୁଲାଇ ୬ରୁ କର୍ଣ୍ଣାଟକରେ ଯେଉଁ ରାଜନୈତିକ ନାଟକ ଚାଲିଛି ତାହା ଥମିବାର ନାଁ ନେଉନି । ଦିନକୁ ଦିନ ଭିନ୍ନ ଭିନ୍ନ ରାଜନୈତିକ ଚିତ୍ର ସାମ୍ନାକୁ ଆସୁଥିବା ବେଳେ ସ୍ୱାମୀ ସରକାରଙ୍କ ଆସ୍ଥା ଭୋଟ ନେଇ ଆଜି ଆସିଛି ବଡ ଖବର ।


ଆସନ୍ତା ଗୁରୁବାର ଦିନ କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଆସନ୍ତା ୧୮ରେ ବାଚସ୍ପତିଙ୍କ ଆଗରେ ଅର୍ଥାତ ବିଧାନସଭାର ପବିତ୍ର ଗୃହରେ ବିଶ୍ୱାସର ବଡ ପରୀକ୍ଷା ଦେବେ କୁମାରସ୍ୱାମୀ । ଗୁରୁବାର ଦିନ କୁମାରସ୍ୱାମୀଙ୍କ ଅନାସ୍ଥା ଅଭିଯୋଗ ଉପରେ ଆଲୋଚନା ହେବ । ଆଉ ଆଲୋଚନା ପରେ ବିଧାନସଭାରେ ବିଶ୍ୱାସ ପାଇଁ ଭୋଟ ପଡିବ । ତେବେ ୧୮ରେ ଭୋଟ ହେବା ନେଇ ତାରିଖ ଘୋଷଣା କରିଛନ୍ତି ବିଜନେସ ଆଜଭାଇଜରୀ କମିଟି ।
ତେବେ କୁମାରସ୍ୱାମୀ ଆଜି ବିଶ୍ୱାସର ପରୀକ୍ଷା ଦେଇଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଆସନ୍ତା ୧୮ ତାରିଖରେ କୁମାରସ୍ୱାମୀ ଆସ୍ଥା ପରୀକ୍ଷା ଦେବେ ବୋଲି ତାରିଖ ନିର୍ଦ୍ଧାରଣ କରାଯାଇଛି । ସେପଟେ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରି ବିଜେପି କହିଛି ଆମର ୧୦୫ ବିଧାୟକ ଏକ ମନ ହୋଇ ଅଛନ୍ତି । ସେମାନେ କାହା କଥାରେ ପ୍ରଭାବିତ ହେବେନି ।
ସ୍ୱାମୀ ସରକାର ପାଇଁ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଦିନ ହୋଇଥିବାରୁ ଆସ୍ଥା ଭୋଟରେ ନକଟି ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପରୀକ୍ଷା ଆଗରୁ ବାଗୀ ବିଧାୟକଙ୍କୁ ମନେଇବାକୁ ଆରମ୍ଭ ହୋଇଛି ମାରାଥନ ପ୍ରସ୍ତୁତି । ବିଦ୍ରୋହୀ ବିଧାୟକଙ୍କୁ ମନେଇବାକୁ ଶିବକୁମାର ଗତ ୯ ଦିନ ହେବ ଚେଷ୍ଟା ଚଳାଇଥିବା ବେଳେ ଆଜି ଖୋଦ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ହୋଟେଲ ଯାଇ ସେମାନଙ୍କୁ ମନେଇବାକୁ ଚେଷ୍ଟା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଗୁରୁବାର ଜଣାପଡିବ କିଏ ଜିତୁଛି ବିଶ୍ୱାସ ।