ମନେଇବା ସ୍ୱପ୍ନ ମଉଳିଲା ! ହୋଟେଲ ବାହାରେ ଅଟକିଲେ ଶିବକୁମାର, ବାଗୀ ବିଧାୟକଙ୍କୁ ଭେଟିବାକୁ ଛାଡିଲାନି ପୋଲିସ୍

266

କନକ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ହଟଚମଟ ଜାରି । ଗୋଟିଏ ପଟେ କୁମାରସ୍ୱାମୀଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ଅନ୍ୟପଟେ ବାଗୀ ବିଧାୟକଙ୍କୁ ଭେଟିବାକୁ ପହଞ୍ଚିଛନ୍ତି କଂଗ୍ରେସ ନେତା ଡି.କେ ଶିବକୁମାର । ମୁମ୍ବାଇର ଏକ ହୋଟେଲରେ ଥିବା ୧୦ ବାଗୀ ବିଧାୟକଙ୍କୁ ଭେଟିବାକୁ ପହଞ୍ଚିଲେ ଶିବକୁମାର । ହୋଟେଲ ଆଗରେ ଶିବକୁମାର ପହଞ୍ଚିଥିଲେ ବି ତାଙ୍କୁ ଭିତରକୁ ଛାଡୁନି ପୋଲିସ । ବିଦ୍ରୋହୀ ବିଧାୟକଙ୍କୁ ଭେଟିବା ପାଇଁ ପୋଲିସ ତାଙ୍କୁ ଅନୁମତି ଦେଉନି । ଶିବକୁମାରଙ୍କୁ ଅଟକାଇବା ସହ ତାଙ୍କୁ ଭିତରକୁ ଛାଡୁ ନାହିଁ ମୁମ୍ବାଇ ପୋଲିସ ।

ତେବେ ହୋଟେଲରେ ଥିବା ବିଦ୍ରୋହୀ ବିଧାୟକମାନେ ଶିବକୁମାର ଓ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଭେଟିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି । ଆଉ ବିଧାୟକଙ୍କ ଅନୁରୋଧ କ୍ରମେ ଆଜି ଶିବକୁମାରଙ୍କୁ ହୋଟେଲ ଭିତରକୁ ଛାଡୁନାହାଁନ୍ତି ପୋଲିସ । ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଗତ କାଲି ରାତିରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ସମସ୍ତ ବିଧାୟକ । ମୁମ୍ବାଇ ପୋଲିସ ଏହି ଚିଠି ପାଇବା ପରେ ହୋଟେଲ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଏପଟେ ଶିବକୁମାର ବିଧାୟକଙ୍କୁ ଭେଟିବାକୁ ଆସିଥିବା ବେଳେ ସେପଟେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରି ଆଜି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତି ତଳେ ଧାରଣା ଦେବେ ବିଜେପି ବିଧାୟକ । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।