ସଙ୍କଟରେ କର୍ଣ୍ଣାଟକ ସରକାର: ୧୧ ବିଧାୟକଙ୍କ ଇସ୍ତଫା ପରେ ହଇଚଇ, ଆଜି ସଂଧ୍ୟାରେ ଜେଡିଏସର ବିଧାୟକ ଦଳ ବୈଠକ

ଆଜି ବିଦେଶରୁ ଫେରୁଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

144

କନକ ବ୍ୟୁରୋ: କର୍ଣ୍ଣାଟକରେ ବଡ ରାଜନୈତିକ ସଂକଟ । କଂଗ୍ରେସ ଓ ଜେଡିଏସ ମେଂଟର ୧୧ ଜଣ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଫଳରେ ମେଂଟ ସରକାର ସଂଖ୍ୟା ଗରିଷ୍ଠତା ହରାଇବାର ଆଶଙ୍କା ବଢି ଯାଇଛି । ପୂର୍ବରୁ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବା ବେଳେ ଜଣେ ବହିଷ୍କାର ହୋଇଥିଲେ । ଏଭଳି ସ୍ଥିତିରେ ୧୧ଜଣ ବିଧାୟକଙ୍କ ଇସ୍ତଫା ଚିନ୍ତା ବଢାଇ ଦେଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଛୁଟି ମନେଇବା ପାଇଁ ବିଦେଶ ଯାଇଥିବା ବେଳେ ବାଚସ୍ପତି ବି ଅନୁପସ୍ଥିତ ଅଛନ୍ତି ।

ବାଚସ୍ପତି ବିଧାୟକଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନାହାନ୍ତି। ତେବେ ଇସ୍ତଫ ଦେଇଥିବା ସମସ୍ତ ବିଧାୟକ ଏବେ ମୁମ୍ବାଇରେ ଅଛନ୍ତି । ଇସ୍ତଫାପତ୍ର ଗ୍ରହଣ ହେବା ପର୍ଯ୍ୟନ୍ତ ମୁମ୍ବାଇରେ ରହିବେ ଓ ଇସ୍ତଫା ପତ୍ର ଗ୍ରହଣ ହେବା ପରେ ବିଜେପିରେ ସାମିଲ ହେବେ ବୋଲି ଇସ୍ତଫା ଦେଇଥିବା ବିଧାୟକ କହିଛନ୍ତି । ଅନ୍ୟପଟେ ଆଜି ଆମେରିକାରୁ ଫେରିବେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ସେ ବାଙ୍ଗାଲୁର ଫେରିବା ପରେ ଆଜି ସଂଧ୍ୟାରେ ଜେଡିଏସର ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ମିଳିଛି । ସେପଟେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ପାଇଁ ବିଜେପିକୁ ଦାୟୀ କରିଛି କଂଗ୍ରେସ । ଏହା ଗଣତନ୍ତ୍ରର ବସ୍ତ୍ରହରଣ କହି ବିଧାୟକଙ୍କୁ ମନେଇବାକୁ କଂଗ୍ରେସ ନେତା ଉଦ୍ୟମ କରୁଛନ୍ତି ।

କଣ କହୁଛି କର୍ଣ୍ଣାଟକ ଗଣିତ…

କର୍ଣ୍ଣାଟକରେ ମୋଟ ୨୨୪ ଆସନ ମଧ୍ୟରୁ ଗତବର୍ଷ ବିଜେପି ୧୦୫ଟି ଆସନ, କଂଗ୍ରେସ ୭୯ , ଜେଡିଏସ ୩୭ , ବିଏସପି-ଗୋଟିଏ ଓ ନିର୍ଦ୍ଦଳୀୟ ୨ଟି ଆସନ ଜିତିଥିଲେ । କିନ୍ତୁ ଏବେ କଂଗ୍ରେସ-ଜେଡିଏସ ବିଧାୟକଙ୍କ ଇସ୍ତଫା ପରେ ବିଧାନସଭାର ଗଣିତ ବଦଳିଛି । ଗତକାଲି କଂଗ୍ରେସର ୮ ଜଣ ଓ ଜେଡିଏସର ୩ ଜଣ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସର ସଦସ୍ୟ ସଂଖ୍ୟା ୬୯କୁ ଖସିଆସିଛି । ପୂର୍ବରୁ କଂଗ୍ରେସର ଦୁଇଜଣ ବିଧାୟକ ଇସ୍ତଫା ଦେଇସାରିଥିଲେ । ସେହିଭଳି ୩ଜଣଙ୍କ ଇସ୍ତଫା ପରେ ଜେଡିଏସର ବିଧାୟକ ସଂଖ୍ୟା ୩୪କୁ ଖସିଆସିଛି । ୧୩ ବିଧାୟକଙ୍କ ଇସ୍ତଫା ପରେ ୨୧୧ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ସଂଖ୍ୟା ୧୦୬କୁ ଖସିଆସିଛି । ମେଂଟ ଓ ବିଜେପି ପାଖରେ ୧୦୫ ଲେଖାଁଏ ବିଧାୟକ ଅଛନ୍ତି । ଏଭଳି ସ୍ଥିତିରେ ବାଚସ୍ପତି ଭୋଟ ଦେଇପାରିବା ବ୍ୟବସ୍ଥା ରହିଛି । କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ମଧ୍ୟରେ ଆଜି ବିଦେଶ ଗସ୍ତରୁ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ।