ଶବକୁ ସମ୍ମାନ ଦେଲାନି ସଂକ୍ରମଣ ସନ୍ଦେହ: ହାତୀ ପାଦ ତଳେ ପ୍ରାଣ ହରାଇବା ପରେ ପାଖ ମାଡିଲେନି ପରିଜନ । ଆପଣା ଲୋକେ ପର କରିବା ପରେ ପୋଲିସ ଆଗେଇ ଆସିଲା, ଶ୍ମଶାନରେ ଅନ୍ତିମ ସଂସ୍କାର କଲା…

ପ୍ରଶ୍ନ ଉଠୁଛି ଯେବେ ମହାମାରୀର ଏ ମାୟାଜାଲ ଛିଡିବ ସେତେବେଳେ ସନ୍ଦେହ ଘେରରେ ଥିବା ସମ୍ପର୍କର ସୂତା ପୁଣି ଥରେ ଯୋଡି ହେବ ତ ? କରୋନା ପାଇଁ କବର ନେଇଥିବା ମାନବିକତା ପୁଣି ଥରେ ମୁଣ୍ଡଟେକି ମୁହଁ ଦେଖାଇ ପାରିବ ତ ?

1,045

କନକ ବୁରୋ: ଭରସା ଭାଙ୍ଗୁଛି ଭୂତାଣୁ ଭୟ । ବିଶ୍ୱାସ ବୁଡାଉଛି ସଂକ୍ରମଣ ସନ୍ଦେହ । କରୋନା ପାଇଁ ଲୋକଙ୍କ ମନରୁ ମରି ଗଲାଣି ବିଶ୍ୱାସ । ସନ୍ଦେହ ପାଇଁ ସମାଜରୁ ଲିଭିବାକୁ ବସିଲାଣି ବିଶ୍ୱାସ ବୋଲି ଶବ୍ଦ । ପର ତ ପର ଆପଣାର ଲୋକେ ବି ଆଡ ଆଖିରେ ଦେଖୁ ନାହାନ୍ତି । ସଂକ୍ରମିତ ହୋଇଯିବା ଭୟରେ ପାଖ ମାଡୁ ନାହାନ୍ତି । ଆଉ ମଲା ପରେ ମୃତଦେହକୁ ନିଜର ଲୋକେ ବି ନେବାକୁ ଆସୁ ନାହାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହା ଶୁଣିଲା ପରେ ଆପଣ ବି କହିବେ, ସତରେ ! ଏ ସନ୍ଦେହ ପାଇଁ ସମାଧି ନେଇଛି ମଣିଷପଣିଆ…

କର୍ଣ୍ଣାଟକ ମୈସୁର ଚାମରାଜନଗର ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଦଳି ମାରିଦେଇଥିଲା ହାତୀ । ଜଙ୍ଗଲୀ ଇଲାକା ହୋଇଥିବାରୁ ହାତୀ ପାଦତଳେ ଯାଇଥିଲା ୪୪ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ । ତେବେ ପୋଷ୍ଟମର୍ଟମ ପରେ ମୃତଦେହକୁ ନେଇନଥିଲେ ମୃତ ବ୍ୟକ୍ତିଙ୍କ ପରିବାର ଲୋକ । ମାନସିକ ବିକାରଗ୍ରସ୍ତ ଥିବାରୁ କାଳେ ସଂକ୍ରମିତ ହୋଇଥିବେ ସେହି ସନ୍ଦେହରେ ପାଖ ମାଡିନଥିଲେ ପରିଜନ ।

ତେବେ ଆପଣାର ଲୋକେ ପର କରିଦେବା ପରେ ଆଗେଇ ଆସିଲା ପୋଲିସ । ଶବକୁ ଶେଷ ସମ୍ମାନ ଦେବାକୁ ଯେଉଁଠି ରକ୍ତ ସମ୍ପର୍କ କୁଣ୍ଠାବୋଧ କରୁଛନ୍ତି ସେଇଠି ରକ୍ଷାକର୍ତ୍ତା କୋଳେଇ ନେଇଥିଲେ । ଆତ୍ମୀୟ ସିନା ଚାହିଁଲେନି ହେଲେ ସଙ୍କଟ ସମୟର ସିପାହୀ ସମ୍ମାନର ସହ ଶବ ସକ୍ରାର କଲେ । ହିନ୍ଦୁ ରିତୀନୀତିରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କଲେ ୩ ପୋଲିସ ।

ଏମିତିକି ସନ୍ଦେହ ପାଇଁ ଯେତେବେଳେ ପରିବାର ଲୋକେ ଶବକୁ ଛୁଇଁଲେନି । ସେଠି ଗାଁ ଲୋକେ ବା କେମିତି ଆସନ୍ତେ । ତେଣୁ ବାଧ୍ୟ ହୋଇ ନିଜେ ମାଟି ଖୋଳି ଶବକୁ ସମାଧି ଦେଇଥିଲେ ଆଉ ଧୂପ ଜଳାଇ ଆତ୍ମାର ସଜଗତି ପାଇଁ ପ୍ରାର୍ଥନା କରିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଯେବେ ମହାମାରୀର ଏ ମାୟାଜାଲ ଛିଡିବ ସେତେବେଳେ ସନ୍ଦେହ ଘେରରେ ଥିବା ସମ୍ପର୍କର ସୂତା ପୁଣି ଥରେ ଯୋଡି ହେବ ତ ? କରୋନା ପାଇଁ କବର ନେଇଥିବା ମାନବିକତା ପୁଣି ଥରେ ମୁଣ୍ଡଟେକି ମୁହଁ ଦେଖାଇ ପାରିବ ତ ?