ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ । କଂଗ୍ରେସର ଜି ପରମେଶ୍ୱରଂକୁ ମିଳିବ ଉପମୁଖ୍ୟମନ୍ତ୍ରୀ । ସମାବେଶରେ ମୋଦି ବିରୋଧୀଙ୍କ ହେବ ମୋର୍ଚ୍ଚାବନ୍ଦୀ

31

କନକ ବ୍ୟୁରୋ : ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ । କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶ ଉଠିବା ପଡିବା ପରେ, ଶେଷରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ । ଜେଡିଏସ ଓ କଂଗ୍ରେସ ଭିତରେ ଛିଡିଲା ଭାଗବଂଟା । କର୍ଣ୍ଣାଟକ ସରକାରର ରୂପରେଖ ନେଇ ଦୁଇ ଦଳ ଭିତରେ ହୋଇଛି ବୁଝାମଣା । ଏହାସହ ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ସେପଟେ ବାଚସ୍ପତି ହେବେ କଂଗ୍ରେସ ବିଧାୟକ କେଆର ରମେଶ । ଦିଲ୍ଲୀରେ କଂଗ୍ରେସ ନେତାଙ୍କୁ ଭେଟିବାପରେ ଏନେଇ ଚୁଡାନ୍ତ ନିଷ୍ପତି ହୋଇଛି । ଏହା ସହ କଂଗ୍ରେସକୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।କୁହାଯାଉଛି କୁମାରସ୍ୱାମୀଙ୍କ ମନ୍ତ୍ରୀମଣ୍ଡଳରେ ୩୪ ଜଣି ମନ୍ତ୍ରୀ ସ୍ଥାନ ପାଇବେ । କରାଯାଉଥିବା ପୂର୍ବାନୁମାନ ଅନୁସାରେ କଂଗ୍ରେସ ଭାଗରେ ୨୧ ଓ ଜେଡିଏସ ଭାଗରେ ୧୩ଟି ମନ୍ତ୍ରୀ ପଦ ପଡିପାରେ । ଗୃହ, ଅର୍ଥ ଓ ଶକ୍ତି ଭଳି କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ କଂଗ୍ରେସ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଶପଥ ଗ୍ରହଣ ପରେ ଏହି ମେଂଟ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ, ତାପରେ କ୍ୟାବିନେଟ ଗଠନ ହେବ ବୋଲି ସୂଚନା ମିଳିଛି ।

ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଜେଡିଏସ ଓ କୁମାରସ୍ୱାମୀ କିଙ୍ଗମେକରରୁ କିଙ୍ଗ ପାଲଟିଛନ୍ତି । ପୂର୍ବରୁ ୟେଦୁରପ୍ପା ବିଧାନସଭାରେ ଫ୍ଲୋର ଟେଷ୍ଟ ପୂବରୁ ସଂଖ୍ୟାଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ । ଶପଥ ଗ୍ରହଣ ଉତ୍ସବରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେବେ । ଦିଲ୍ଲୀରେ କୁମାରସ୍ୱାମୀଂକ ସହ ସାକ୍ଷାତ ସମୟରେ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଉଭୟ ସହମତି ଦେଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ଅନ୍ୟ ବହୁ ଦଳର ନେତା ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ବିଏସପି ସୁପ୍ରିମୋ ମାୟାବତୀ, ଏସପି ନେତା ଅଖିଳେଶ ଯାଦବଂକ ସହ ଟିମଏସି ଓ ଏନସିପିର ନେତା ମଧ୍ୟ ସାମିଲ ହୋଇ ପାରନ୍ତି । ପ୍ରଥମ ଥର ପାଇଁ ଗୋଟେ ମଂଚରେ ଏକାଠି ନଜର ଆସିପାରନ୍ତି ମାୟାବତୀଙ୍କ ସହ ଅଖିଳେଶ ଯାଦବ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଏହି ଦୁଇ ରାଜନେତାଙ୍କୁ ଖାସ ନିମନ୍ତ୍ରଣ ମିଳିଛି ।

ସେପଟେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା । ସେ ଏନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଜୟପୁର ଜିଲ୍ଲାର ମାନାଗୁଲି ଗ୍ରାମର ଏକ ଚାଳ ଘରୁ ୮ଟି ଭିଭିପିଏଟ୍ ମ୍ୟାସିନ୍ ମିଳିବା ପରେ ୟେଦୁରପ୍ପା ଏହି ଅଭିଯୋଗ ଆଣିଛନ୍ତି । ସେ ମୁଖ୍ୟ ନିର୍ବାଚନ କମିଶନର ପ୍ରକାଶ ରାୱତଙ୍କୁ ଚିଠି ଲେଖି ତତ୍କାଳ ତଦନ୍ତ ଦାବି କରିଛନ୍ତି ।