କର୍ଣ୍ଣାଟକ ବିଜେପିରେ କନ୍ଦଳ । ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ଇସ୍ତଫା ଦାବି କଲେ ବିଦ୍ରୋହୀ ବିଧାୟକ, ୟେଦିୟୁରପ୍ପା କହିଲେ ଇସ୍ତଫା ଦେବାର ଉଠୁନି ପ୍ରଶ୍ନ ।

165

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ କନ୍ଦଳ । କ୍ଷମତାରେ ଥିବା ବିଜେପି ଦଳରେ ଦେଖିବାକୁ ମିଳିଛି ଫାଟ । କିଛି ବିଜେପି ବିଧାୟକଙ୍କ ବିଦ୍ରୋହ ନୀତି ଏବେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ରାତିର ନିଦ ହଜାଇ ଦେଇଛି । ଏପରିକି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଏବେ ଟଳମଳ ଅବସ୍ଥାରେ ଥିବା ଆଶଙ୍କା କରାଯାଉଛି । ସେପଟେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା କହିଛନ୍ତି ପଦ ଛାଡିବାର ପ୍ରଶ୍ନ ଉଠୁନାହିଁ ।

ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି କିଛି ବିଧାୟକ ତାଙ୍କ ଇସ୍ତଫା ଦାବି କରୁଛନ୍ତି । ଫଳରେ କର୍ଣ୍ଣାଟକରେ ବିଜେପିରେ ଫାଟ ସୃଷ୍ଟି ହୋଇଛି । ବାଗୀ ବିଧାୟକମାନେ ଦଳର ନେତୃତ୍ୱ ବଦଳାଇବା ପାଇଁ ଦାବି କରି ଆସୁଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲାଗିରହିଥିବା କନ୍ଦଳର ସମାଧାନ ପାଇଁ ଦିଲ୍ଲୀରେ ଡେରା ବସାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି ୟେଦିୟୁରପ୍ପା । ଫଳରେ ସେମାନଙ୍କ ସହ ଆଲୋଚନା କରି କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଆଉ ୨ ବର୍ଷ କାର୍ଯ୍ୟକାଳ ବାକି ରହିଛି । ଏ ଭିତରେ ତାଙ୍କ ପଦ କେତେଦୂର ସୁରକ୍ଷିତ ରହୁଛି ତାହା ଦେଖିବାକୁ ବାକି ରହିଲା ।