କନକ ବ୍ୟୁରୋ: ୧୫ ଦିନ ପାଇଁ ତାମିଲନାଡୁକୁ ପ୍ରତିଦିନ ୩ ହଜାର କ୍ୟୁସେକ୍ ଜଳ ଦେବାକୁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି, କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ପୁଣି ତେଜିଛି ବିବାଦ । ପାଣି ନଛାଡିବାକୁ କର୍ଣ୍ଣାଟକରେ ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ତାମିଲନାଡୁରେ ବି ଅସନ୍ତୋଷ ତେଜିବାରେ ଲାଗିଛି । ଦୁଇ ରାଜ୍ୟର ଚାଷୀ ଓ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । କର୍ଣ୍ଣାଟକ ବନ୍ଦ ଠାରୁ ଆରମ୍ଭ କରି ତୀବ୍ର ହୋଇଛି ପ୍ରତିବାଦ ।

Advertisment
  • କାବେରୀ ଜଳକୁ ନେଇ ପୁଣି ତେଜିଲା ବିବାଦ
  • ପାଣି ନଛାଡ଼ିବାକୁ କର୍ଣ୍ଣାଟକରେ ଆନ୍ଦୋଳନ
  • ଜଳ ଦେବା ଦାବିରେ ତାମିଲନାଡୁରେ ବିକ୍ଷୋଭ

ଚଳିତ ବର୍ଷ ବର୍ଷା କମ୍ ହୋଇଥିବା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଯୁକ୍ତି ବାଢ଼ିଛନ୍ତି । ସରକାରଙ୍କୁ ଏହି ପ୍ରସଙ୍ଗରେ ବିରୋଧୀ ସମର୍ଥନ ଜଣାଇଛନ୍ତି । ଅର୍ଥାତ୍ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ଯାଇଛନ୍ତି । ଏପଟେ ଜଳ ଛାଡିବାକୁ ତାମିଲନାଡୁ ଦାବି କରିବା ସହ ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ କରୁଛନ୍ତି ଚାଷୀ ଓ ସାମାଜିକ ସଂଗଠନ । ପୁଣି ଥରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଉଗ୍ର ହେବାରେ ଲାଗିଛି ।

  • ଏପଟେ ଅଣମୌସୁମୀ ବେଳେ ପାଣି ଛାଡୁନି ଛତିଶଗଡ଼
  • ଶୁଖିଲା ପଡୁଛି ଓଡ଼ିଶା ପଟର ମହାନଦୀ
  • ଟ୍ରିବ୍ୟୁନାଲ ଆଳରେ ଚୁପ ବସିଛନ୍ତି ରାଜ୍ୟ ସରକାର

୨୫ ବର୍ଷ ହେଲା କାବେରୀ ଜଳ ବିବାଦର ହୋଇପାରୁନି ସମାଧାନ । କାବେରୀ ଟ୍ରିବ୍ୟୁନାଲ ମଧ୍ୟ ବିବାଦର ସମାଧାନ କରିପାରିନାହିଁ । କିନ୍ତୁ ମହାନଦୀ ଟ୍ରିବ୍ୟୁନାଲ ଉପରେ ନିର୍ଭର କରି ଚୁପ ହୋଇ ବସିଛନ୍ତି ଓଡ଼ିଶା ସରକାର । ଅଣମୌସୁମୀ ସମୟରେ ଛତିଶଗଡ଼ ପାଣି ନଛାଡିବାରୁ ଓଡ଼ିଶାର ଜଳସଙ୍କଟ ଉକ୍ରଟ ହେଉଛି । ଡ୍ୟାମ ଓ ବ୍ୟାରେଜ କରି ଛତିଶଗଡ଼ ପାଣି ଅଟକାଉଥିବାରୁ ଶୁଖିଯାଉଛି ଓଡ଼ିଶାର ମହାନଦୀ । କିନ୍ତୁ ଓଡ଼ିଶା ସରକାର ଚୁପ୍ ହୋଇ ବସିଛନ୍ତି । ଶାସକ ଦଳ ପକ୍ଷରୁ ଯେଉଁ ଆନ୍ଦୋଳନ ହେଉଥିଲା, ତାହା ମଧ୍ୟ ବନ୍ଦ ହୋଇଯାଉଛି । ଲାଗୁଛି, ମହାନଦୀ ଟ୍ରିବ୍ୟୁନାଲ ଉପରେ ସବୁକିଛି ଛାଡି ଦେଇଛନ୍ତି ସରକାର ।

ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବା ୫ ବର୍ଷରୁ ଅଧିକ ହୋଇଗଲାଣି । କିନ୍ତୁ ବିବାଦର ସମାଧାନ ପାଇଁ କିଛି କରିପାରିନି ଟ୍ରିବ୍ୟୁନାଲ୍ । ଯଦି ଏମିତି ସମୟ ଗଡିଚାଲେ, କାବେରୀ ବିବାଦ ଭଳି ଏହା ମଧ୍ୟ ଉଗ୍ର ରୂପ ନେବା ଆଶଙ୍କା ରହିଛି ।