କର୍ଣ୍ଣାଟକ ଡ୍ରାମା ଜାରି: ଆଜି ସଂଧ୍ୟା ସୁଦ୍ଧା ବହୁମତ ପ୍ରମାଣ କରିବେ କୁମାରସ୍ୱାମୀ ; ସେପଟେ ବାଚସ୍ପତିଙ୍କୁ ଭେଟିବାକୁ ସମୟ ମାଗିଲେ ୫ ବିଦ୍ରୋହୀ ବିଧାୟକ

214

କନକ ବ୍ୟୁରୋ: ସରି ନାହିଁ କର୍ଣ୍ଣାଟକ ଡ୍ରାମା । ବିଧାନସଭାରେ ହୋଇପାରି ନାହିଁ ଆସ୍ଥାଭୋଟ୍ । ଆଜି ସଂଧ୍ୟା ୬ଟା ସୁଦ୍ଧା ଆସ୍ଥାଭୋଟ୍ କରିବାକୁ ଡେଡ୍ଲାଇନ୍ ଦେଇଛନ୍ତି ବାଚସ୍ପତି କେଆର ରମେଶ କୁମାର । ତେଣୁ ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥାଭୋଟ୍ ହେବାର ସମ୍ଭାବନା ରହିଛି । କଂଗ୍ରେସ ନେତା ସିଦ୍ଧରମୈୟା ମଧ୍ୟ ସଂଧ୍ୟା ୬ଟା ସୁଦ୍ଧା ଆସ୍ଥାଭୋଟ୍ ହୋଇପାରିବ ବୋଲି କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ସଂଖ୍ୟାଗରିଷ୍ଠତାର ପ୍ରମାଣ ପାଇଁ ଅଧିକ ସମୟ ମାଗିଥିଲେ ମଧ୍ୟ ବାଚସ୍ପତି ଏହାକୁ ଖାରଜ କରିଦେଇଛନ୍ତି ।

କୌଣସି ପରିସ୍ଥିତିରେ ଆଉ ଆସ୍ଥାଭୋଟକୁ ବିଳମ୍ବ କରି ହେବ ନାହିଁ ବୋଲି ଗତକାଲି ବାଚସ୍ପତି କହିଥିଲେ । ଅନ୍ୟପଟେ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍ କରିଛନ୍ତି ବାଚସ୍ପତି । ଆଜି ସୁଧା ଭେଟିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ଓ ଜେଡିଏସର ୧୫ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ତେବେ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିନାହାଁନ୍ତି ବାଚସ୍ପତି । ଅନ୍ୟପଟେ ଏହି ବିଧାୟକମାନଙ୍କ ଇସ୍ତଫା ପରେ କୁମାରସ୍ୱାମୀଙ୍କ ସରକାର ଅଳ୍ପସଂଖ୍ୟକ ହୋଇଯାଇଛି ବୋଲି ଦାବି କରି ଆସୁଛି ବିଜେପି ।