ପାଖଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସରଗରମ ହେଉଛି ରାଜ୍ୟ ରାଜନୀତି।

156

କନକ ବ୍ୟୁରୋ: ଭୋଟ ପାଇଁ ଏହାକୁ ନାଟକ କହିପାରିବା କିମ୍ବା ଭୋଟ ପାଇଁ ଏହା ବଳକଷାକଷି ହୋଇପାରେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ସେତିକି ବିଗୁଡୁଛି ବରିଷ୍ଠ ରାଜନେତାଙ୍କ ବୟାନ । ପୂର୍ବରୁ କୁଜିନେତାଙ୍କ ବିବାଦୀୟ ବୟାନ ଶୁଣିବାକୁ ମିଳୁଥିଲା ଏବେ କିନ୍ତୁ ଦଳର ବରିଷ୍ଠ ନେତା ସୀମା ଲଘିଂ ଦେଉଛନ୍ତି ବୟାନ ଯାହା ହୁଏତ ପୂର୍ବରୁ ନା କେହି କହିଥିବେ ନା କେହି ଶୁଣିଥିବେ । ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି । ପ୍ରଚାର ସମୟରେ ନେତାମାନଙ୍କ ମୁହଁରୁ ଏମିତି କିଛି ଶବ୍ଦ ବାହାରୁଛି, ଯାହା ସବୁ ସୀମା ଟପିଯାଉଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ମୋଦୀଙ୍କୁ ବିଷାକ୍ତ ସାପ କହି ସମ୍ବୋଧନ କରିଛନ୍ତି ଖଡଗେ । ସେପଟେ ନିର୍ବାଚନୀ ରାଲିରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା । ରାଜ୍ୟରେ ଯଦି କଂଗ୍ରେସ ସରକାର ଆସେ ତେବେ ପୂରା କର୍ଣ୍ଣାଟକରେ ଦଙ୍ଗା ହୋଇଯିବ ବୋଲି ଶାହା କହିଥିଲେ । ଏହା ପୂର୍ବରୁ ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ସୁଇସାଇଡ ନୋଟ ସମ୍ବନ୍ଧୀୟ ଏକ କଥା ଉଠାଇ ଜୋକ କରିଥିଲେ । ଏହାକୁ ଏକ ବିବାଦୀୟ ବୟାନ କହି ମୋଦୀଙ୍କୁ ସମାଲୋଚନା କରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧ ଭଦ୍ରା।

ବର୍ତମାନ ଦଳଗୁଡିକର ଟାର୍ଗେଟରେ ରହିଛି କର୍ଣ୍ଣାଟକ । ନିର୍ବାଚନରେ କଳେବଳେ କୌଶଳରେ ଅଧିକରୁ ଅଧିକ ଭୋଟ ହାତେଇ କିଭଳି କର୍ଣ୍ଣାଟକର କ୍ଷମତା ନିଜ ହାତକୁ ଆସିବ ସେନେଇ ଦଳଗୁଡିକ କସରତ କରୁଛନ୍ତି । କିନ୍ତୁ ଏହା ଭିତରେ ଯେ ସୀମାଟପି ଏମାନେ ଦେଉଥିବା ବିବାଦୀୟ, ଆପତିଜନ ବୟାନ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଅମିତ ଶାହାଙ୍କ ବୟାନ ପାଇଁ କଂଗ୍ରେସ ଇସିଙ୍କ ଦ୍ୱାରସ୍ଥ ହେବା ସହ ଏତଲା ରୁଜୁ କରିଛି । ସେପଟେ ନିଜ ବୟାନକୁ ନେଇ ଖଡ଼ଗେ ସଫେଇ ମଧ୍ୟ ରଖୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବୟାନକୁ ବିବାଦ ଭିତରକୁ ଟାଣି କଂଗ୍ରେସ ଗୋଟେ ପରେ ଗୋଟେ ଟୁଇଟ କରି ଶାଣିତ ଅନ୍ଦାଜରେ ଆକ୍ରମଣ କରୁଛି ।

ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ରାଜ୍ୟର କ୍ଷମତା ନିଜ ହାତକୁ ଆଣିବା ପାଇଁ ଦଳମାନଙ୍କ ମଧ୍ୟରେ ଜୋରଦାର କସରତ ଚାଲିଛି । ଭୋଟ ବ୍ୟାଙ୍କ ରାଜନୀତିରେ କିଏ ଜୋରଦାର ପ୍ରଚାର କରୁଛି ତ ପୁଣି କିଏ ଭଳିକି ପ୍ରତିଶ୍ରୁତି ଦେଉଛି । ନିର୍ବାଚନ ପୂର୍ବରୁ ଏହା ଏକ ସାଧାରଣ କଥା କିନ୍ତୁ ଏଥର କର୍ଣ୍ଣାଟକ ପାଇଁ ରାଜନେତାଙ୍କ ମଧ୍ୟରେ ଯେଉଁଭଳି କଥାକଟି ଚାଲିଛି ତାକୁ ନେଇ ଏବେ ବେଶ ଚର୍ଚ୍ଚା । କହିବାକୁ ଗଲେ ଭୋଟରଙ୍କ ନିକଟରେ ନିଜକୁ ପହଁଚାଇବା ପାଇଁ ବରିଷ୍ଠ ନେତାଙ୍କ ବିବାଦୀୟ ବୟାନ ଦେବାକୁ ପଛଘୁଂଚା ଦେଉନାହାଁନ୍ତି ।