କିଏ ଜିତିବ କର୍ଣ୍ଣାଟକ : ୨୨୨ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ,ପାଂଚ କୋଟି ଭୋଟର ନିର୍ଣ୍ଣୟ କରିବେ ପ୍ରାର୍ଥୀଙ୍କ ଭାଗ୍ୟ । ମୋଦି ଓ ରାହୁଲଙ୍କ ପାଇଁ ସମ୍ମାନର ଲଢେଇ

48

କନକ ବ୍ୟୁରୋ : ଆଜିି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ । ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୨୨୨ଟି ବିଧାନସଭା ଆସନ ପାଇଁ ୫୬ ହଜାର ୬୯୬ଟି ବୁଥରେ ଇଭିଏମ୍ ଜରିଆରେ ମତଦାନ ଗ୍ରହଣ କରାଯାଉଛି । ପ୍ରାୟ ୫ କୋଟି ଭୋଟର ଏହି ନିର୍ବାଚନରେ ମତଦାନ କରିବେ ବୋଲି ଆଶା କରାଯାଉଛି । ତେବେ ବେଙ୍ଗଲୁରୁର ରାଜେଶ୍ୱରୀ ନଗର ବିଧାନସଭା ନିର୍ବାଚନକୁ ଘୁଂଚାଇ ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟାରେ ସାଢ଼େ ୩ ଲକ୍ଷ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଏଥିପାଇଁ ସମସ୍ତ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଏଥିମଧ୍ୟରେ ୧୨ ହଜାର ସମ୍ବେଦନଶୀଳ ବୁଥ ଅଛି । ଯେଉଁଠାରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ବୁଥରେ ଇଭିଏମ୍ ଜରିଆରେ ମତଦାନ ଗ୍ରହଣ କରାଯାଉଛି । ମତଦାନକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ୮୨ହଜାର ପୁଲିସକର୍ମୀ ନିୟୋଜିତ ହୋଇଛନ୍ତି । ଆଜି ନିର୍ବାଚନ ଶେଷ ହେବା ପରେ ଆସନ୍ତା ୧୫ ତାରିଖରେ ଭୋଟ ଗଣତି ହେବ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି.ଏସ. ୟେଦ୍ୟୁରପ୍ପା ମଧ୍ୟ ଭୋଟ ଦେଇଛନ୍ତି । ଶିକାରୀପୁରା ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ୟେୁଦ୍ୟୁରପ୍ପା । ଏଥର ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ସେ ଦାବି କରିଛନ୍ତି । ୧୫ ତାରିଖରେ ଭୋଟ ଗଣତି ଶେଷ ହେବା ପରେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମଧ୍ୟ ଦୃଢୋକ୍ତି କରିଛନ୍ତି ୟେଦ୍ୟୁରପ୍ପା । ସେପଟେ ନିର୍ବାଚନ ପୂର୍ବରୁ ଆଜି ସକାଳୁ ସକାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ବିଜେପିର ମ୍ରୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦ୍ୟୁରପ୍ପା । ସେ ଦାବି କରିଛନ୍ତି, ବିଜେପି ୧୫୦ରୁ ଅଧିକ ଆସନ ଜିତି ସରକାର ଗଢିବ । ଏହା ସହ କଂଗ୍ରେସ ସରକାରକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ବାଚନରେ ଧନବଳ ପ୍ରୟୋଗ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ୟେଦ୍ୟୁରପ୍ପା ୨୦୦୮ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଦୁର୍ନୀତି ଅଭିଯୋଗ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ କଂଗ୍ରେସ ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି । କର୍ଣ୍ଣାଟକ ଉଭୟ ଦଳ ପାଇଁ ସମ୍ମାନ ପ୍ରଶ୍ନ ହୋଇଛି । ଏହି ନିର୍ବାଚନର ଫଳାଫଳ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବଡ ସଙ୍କେତ ଦେବ । ବିଜେପି ଜିତିଲେ ମୋଦି ଓ ବିଜେପି ସରକାରଙ୍କ ଲୋକପ୍ରିୟତା ଅତୁଟ ବୋଲି ପ୍ରମାଣିତ ହେବ । ଦକ୍ଷିଣ ଆଡକୁ ଅଗ୍ରସର ହେବ ଦଳ । ବିଜେପି ହାରିଲେ ଦଳର ଦକ୍ଷିଣ ଅଗ୍ରସରକୁ ଶକ୍ତ ଧକ୍କା ଲାଗିବ । ସରକାରଙ୍କ ବିଭିନ୍ନ ନୀତି ଉପରେ ପ୍ରଶ୍ନ ଉଠିବ । କଂଗ୍ରେସ ଜିତିଲେ ବିରୋଧୀ ପକ୍ଷ ଏକାଠି ହେବାକୁ ସୁଯୋଗ ମିଳିବ । ମୋଦି ବିରୋଧୀ ମେଂଟକୁ ହାୱା ମିଳିବ । ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ମୋହର ଲାଗିବ । କଂଗ୍ରେସ ହାରିଲେ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ପୁଣି ପ୍ରଶ୍ନ ଉଠିବ । କଂଗ୍ରେସ ମାତ୍ର ଦୁଇଟି ରାଜ୍ୟ ପଞ୍ଜାବ ଓ ପୁଡୁଚେରୀରେ କ୍ଷମତାରେ ରହିବ । ନିର୍ବାଚନ ଜିତିବା ଲାଗି କ୍ଷମତାସୀନ କଂଗ୍ରେସ ରାଜ୍ୟରେ ଲିଙ୍ଗାୟତ କାର୍ଡ ଖେଳିଛି । ଲିଙ୍ଗାୟତଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି । କର୍ଣ୍ଣାଟକରେ ପ୍ରାୟ ୧୭ ପ୍ରତିଶତ ଲିଙ୍ଗାୟତ ରହୁଛନ୍ତି । ୧୯୮୫ ମସିହା ପରେ ରାଜ୍ୟରେ କୌଣସି ଦଳ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିନାହାନ୍ତି । ଏଥର କିନ୍ତୁ ରାଜ୍ୟରେ ଝୁଲା ବିଧାନସଭାର ଅନୁମାନ କରାଯାଇଛି । କଂଗ୍ରେସ ବଡ ଦଳ ହେବ ବୋଲି ପୂର୍ବାନୁମାନ କରାଯାଇଛି ।