ଆଜି କର୍ଣ୍ଣାଟକ ବିଧାନସଭାରେ ବହୁମତର ପରୀକ୍ଷା । ସରକାର ଗଠନ ପାଇଁ ଦୃଢ଼ ନିଶ୍ଚିତ ୟେଦୁରପ୍ପା

94
କନକ ବ୍ୟୁରୋ : ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିଧାନସଭାରେ ବହୁମତ ପ୍ରମାଣ କରିବେ  । ସଂଖ୍ୟାଗଣତିରେ ଆଗରେ ଥିବା ବିଜେପି ସରକାର ଆସ୍ଥାଭୋଟରେ ବିଜୟୀ ହେବାର ସମ୍ଭାବନା ରହିଛି  । ତେବେ ଏହାପୂର୍ବରୁ କର୍ଣ୍ଣାଟକ ନାଟକରେ ଆଉ ଏକ ମୋଡ଼ ଆସିଛି  । ୧୪ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେ. ଆର ରମେଶ କୁମାର । ଏମାନଙ୍କ ମଧ୍ୟରେ କଂଗ୍ରେସ ୧୧ ଜଣ ଥିବାବେଳେ ଜେଡିଏସର ୩ ଜଣ ଅଛନ୍ତି । ଆଗରୁ ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି  । କର୍ଣ୍ଣାଟକରେ ଏହି ବିଧାୟକଙ୍କ ବିଦ୍ରୋହ ଯୋଗୁଁ  କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା ।  ଏହା ପରେ ବିଜେପି ନେତୃତ୍ୱଧୀନ ୟେଦୁୟରପ୍ପା ସରକାର  କ୍ଷମତାସୀନ ହୋଇଛନ୍ତି  । ସେପଟେ ବାଚସ୍ପତି ରମେଶ କୁମାରଙ୍କୁ ପଦରୁ ହଟାଇବା ବିଷୟରେ ଇସାରା ଦେଇସାରିଛନ୍ତି ୟେଦୁରପ୍ପା  ।
ତେଣୁ ବାଚସ୍ପତିଙ୍କ ଏହି ନିଷ୍ପତ୍ତି ୟେଦୟୁରପ୍ପାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି କୁହାଯାଉଛି । ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ସେମାନେ କୋର୍ଟରେ ଆବେଦନ କରିବେ  । କର୍ଣ୍ଣାଟକ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୨୪  । ତେବେ ୧୭ ବିଧାୟକ ଅଯୋଗ୍ୟ ଘୋଷଣା ପରେ ଏବେ କର୍ଣ୍ଣାଟକ ବିଧାନସଭାର ଆସନ ସଂଖ୍ୟା ୨୦୭କୁ ଖସିଆସିଛି  । ଫଳରେ ଆସ୍ଥାଭୋଟ୍ ଜିତିବାକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଏବେ ବିଜେପି ପାଖରେ ୧୦୫ ବିଧାୟକ ଅଛନ୍ତି  । ତେଣୁ ୟେଦୁରପ୍ପା ଆସ୍ଥାଭୋଟ ଜିତିବାର ସମ୍ଭାବନା ରହିଛି  ।

Comments are closed.