ବିଦେଶରେ କୁମାରସ୍ୱାମୀ, ସଂକଟରେ କର୍ଣ୍ଣାଟକ ସରକାର । ଇସ୍ତଫା ଦେଲେ କଂଗ୍ରେସ-ଜେଡିଏସ୍ ମେଣ୍ଟର ୧୧ ବିଧାୟକ । ରାଜନୈତିକ ଅସ୍ଥିରତା ଯୋଗୁଁ ବିଜେପିକୁ ଦାୟି କଲା କଂଗ୍ରେସ

113

କନକ ବ୍ୟୁରୋ: କର୍ଣ୍ଣାଟକରେ ଦେଖା ଦେଇଛି ଏକ ବଡ ରାଜନୈତିକ ସଂକଟ । କଂଗ୍ରେସ ଓ ଜେଡିଏସ ମେଂଟର ୧୧ ଜଣ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଫଳରେ ମେଂଟ ସରକାର ସଂଖ୍ୟା ଗରିଷ୍ଠତା ବଢାଇବାର ଆଶଙ୍କା ବଢି ଯାଇଛି । ପୂର୍ବରୁ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବା ବେଳେ ଜଣେ ବହିଷ୍କାର ହୋଇଥିଲେ । ଏଭଳି ସ୍ଥିତିରେ ୧୧ଜଣ ବିଧାୟକଙ୍କ ଇସ୍ତଫା ଚିନ୍ତା ବଢାଇ ଦେଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ ଛୁଟି ମନେଇବା ପାଇଁ ବିଦେଶ ଯାଇଥିବା ବେଳେ ବାଚସ୍ପତି ବି ଅନୁପସ୍ଥିତ ଅଛନ୍ତି । ଫଳରେ କର୍ଣ୍ଣାଟକରେ ଜଟିଳ ରାଜନୈତିକ ସ୍ଥିତି ସୃଷ୍ଟି ହୋଇଛି । କର୍ଣ୍ଣାଟକର ସ୍ଥିତି ସମ୍ଭାଳିବା ପାଇଁ ଦିଲ୍ଲୀରେ କଂଗ୍ରେସର ଜରୁରୀ ବୈଠକ ବସିଥିବା ବେଳେ ଦଳୀୟ ବିଧାୟକଙ୍କ ସହ ଫୋନରେ କଥା ହୋଇଛନ୍ତି କୁମାରସ୍ୱାମୀ ।

ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ରାଜଭବନ, ବିଧାୟକଙ୍କ ଧାଁ ଧପଡ ଭିତରେ ଯେମିତି କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍ ମେଂଟ ସରକାର ଉପରେ ଘୋଟି ଆସିଛି ଆଶା-ଆଶଙ୍କାର ବାଦଲ । କଂଗ୍ରେସର ୨ ଜଣ ବିଧାୟକ ଇସ୍ତଫା ଦେବାର ଗୋଟିଏ ସପ୍ତାହ ବି ପୁରିନି, ଆଉ ଆଜି ମେଂଟର ୧୧ ଜଣ ବିଧାୟକ, ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଇସ୍ତଫାପତ୍ର ଦେଇଛନ୍ତି । ଜେଡିଏସର ୩ଜଣ ଏବଂ କଂଗ୍ରେସର ୮ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ବଡ଼ କଥା ହେଉଛି- ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ, ଛୁଟି ମନାଇବାକୁ ଆମେରିକା ଗସ୍ତରେ ଥିବା ବେଳେ ବାଚସ୍ପତି ବି ଅଫିସରେ ଅନୁପସ୍ଥିତ ଅଛନ୍ତି । ଆଉ ଠିକ୍ ଏମିତି ବେଳେ କର୍ଣ୍ଣାଟକ ରାଜନୀତିକୁ ଦୋହଲାଇ ଦେଇଛି- ୧୧ଜଣ ବିଧାୟକଙ୍କ ଇସ୍ତଫାର ଖବର ।

ବିଧାୟକଙ୍କ ବିଦ୍ରୋହର ପଡ଼ିବ କି ପ୍ରଭାବ? 

-୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବହୁମତ ପାଇଁ ଆବଶ୍ୟକ ୧୧୩ ବିଧାୟକ

-ବିଜେପି ପାଖରେ ଅଛନ୍ତି ୧୦୫ ବିଧାୟକ

-କଂଗ୍ରେସର ୮୦ ଏବଂ ଜେଡିଏସରେ ୩୭ ମିଶାଇ ଦୁଇ ଦଳ ପାଖରେ ଅଛନ୍ତି ୧୧୭ ବିଧାୟକ

-ଆଉ ମେଂଟ ସରକାରରେ ରହିଛି ବିଏସ୍ପି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ

-ତେବେ ନିକଟରେ ୨ କଂଗ୍ରେସ ବିଧାୟକ ଇସ୍ତଫା ଏବଂ ଜଣେ ବିଧାୟକଙ୍କ ବହିଷ୍କାର ପରେ କଂଗ୍ରେସ ୭୭କୁ ଖସି ଆସିଥିବା ବେଳେ ମେଂଟ ସରକାର ସଂଖ୍ୟା ୧୧୪କୁ ଖସି ଆସିଛି ।

-ଏପଟେ ବିଜେପି ଦାବି କରୁଛି କଂଗ୍ରେସ ୬ ଏବଂ ଜେଡିଏସର ୨ ଜଣ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି । ଅର୍ଥାତ୍ ଇସ୍ତଫା ଦେଇପାରନ୍ତି ।

ରାଜନୀତିର ଏହି ପରିସଂଖ୍ୟାନ କର୍ଣ୍ଣାଟକ ରାଜନୈତିକୁ ଏକ ଗୋଲକ ଧନ୍ଦାରେ ଠିଆ କରିଦେଇଛି । ଏସବୁ ଭିତରେ ଆମେରିକାରେ ଥିବା କୁମାରସ୍ୱାମୀ, ଦଳୀୟ ନେତାଙ୍କ ସହ ଫୋନ୍ ଯୋଗେ କଥା ହେବା ସହ ସ୍ଥିତିକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରିଛନ୍ତି । ହେଲେ ଆଗକୁ କ’ଣ ହେବ, ତାହା ଏବେଠୁ ଆକଳନ କରିବା କଷ୍ଟକର ।