ବାଗୀ ବିଧାୟକଙ୍କୁ ମନେଇଲେ କଂଗ୍ରେସର ସଙ୍କଟମୋଚକ ଶିବକୁମାର: ଦଳକୁ ଫେରି ପାରନ୍ତି ନାଗରାଜ ଓ ସୁଧାକର ?

257

କନକ ବ୍ୟୁରୋ: ବାହୁଡିବେ ବାଗୀ ବିଧାୟକ । କୁମାରସ୍ୱାମୀଙ୍କ ହାତ ଛାଡି ପଳାଇ ଯାଇଥିବା ହାତ ବିଧାୟକ ଘରକୁ ଫେରିବେ । କାରଣ ଆଜି ବିଦ୍ରୋହୀ ବିଧାୟକଙ୍କୁ ମନେଇବାରେ ସଫଳ ହୋଇଛନ୍ତି କଂଗ୍ରେସର ସଙ୍କଟମୋଚକ ଶିବକୁମାର । କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ତଥା କୁମାରସ୍ୱାମୀ ସରକାରର ମନ୍ତ୍ରୀ ଏନବିଟି ନାଗରାଜଙ୍କୁ ମନେଇବାରେ ଆଜି ଆଶିଂକ ସଫଳ ହୋଇଛନ୍ତି କଂଗ୍ରେସ ନେତା ଶିବକୁମାର ।
ତେବେ ଆଜି ସକାଳେ ଡିକେ ଶିବକୁମାର ଓ ଉପ ମୁଖମନ୍ତ୍ରୀ ପରମେଶ୍ୱର ନାଗରାଜଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଅନେକ ସମୟ ଧରି ନାଗରାଜଙ୍କ ସହ ଆଲୋଚନା କରିବା ପରେ ଉଭୟଙ୍କୁ ସଫଳତା ମିଳିଛି । ଇସ୍ତଫା ଦେଇଥିବା ବାଗୀ ବିଧାୟକ ନାଗରାଜ ନିଜ ଇସ୍ତଫା ଉପରେ ପୁନର୍ବିଚାର କରିବେ ବୋଲି କହିଛନ୍ତି ।


ଆଲୋଚନା ପରେ ନାଗରାଜ କହିଛନ୍ତି କି ସେ ଦଳର ନେତୃତ୍ୱକୁ ବିରୋଧ କରି ଇସ୍ତଫା ଦେଇଥିଲେ । ଏବେ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପରେ ତାଙ୍କ ଆଗରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ତେଣୁ ସେ ନିଜ ଇସ୍ତଫା ଉପରେ ପୁନର୍ବିଚାର କରିବେ । ତା ଛଡା ଆମେ ଦୀର୍ଘ ଦଶନ୍ଧି ଧରି କଂଗ୍ରେସରେ କାମ କରି ଆସୁଛୁ । ତେଣୁ କଂଗ୍ରେସକୁ ଛାଡିବା ମୁସକିଲ । ମୋ ଇସ୍ତଫା ଫେରାଇ ନେବାକୁ ମୁଁ ରାଜି ମାତ୍ର ଇସ୍ତଫା ଦେଇଥିବା ଅନ୍ୟ ଜଣେ ବିଧାୟକ ସୁଧାକର ରାଓଙ୍କ ସହ ଏନେଇ କଥାବାର୍ତ୍ତା ହେବି ବୋଲି ନାଗରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


ସେପଟେ ନାଗରାଜଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଶିବକୁମାର । ଶିବକୁମାର କହିଛନ୍ତି କି ଆମକୁ ସାଙ୍ଗରେ ବଞ୍ଚିବାର ଅଛି, ସାଙ୍ଗରେ ମରିବାର ଅଛି । କାରଣ ଆମେ ଦୀର୍ଘ ୪୦ ବର୍ଷ ହେବ ସାଙ୍ଗହୋଇ କଂଗ୍ରେସ ପାଇଁ କାମ କରୁଛୁ । ପ୍ରତି ପରିବାରରେ ଏମିତି ଝଡଝଞ୍ଜା ଆସେ । ସେସବୁକୁ ଭୁଲି ଆମକୁ ଆଗକୁ ଯିବାକୁ ପଡିବ ବୋଲି ଶିବକୁମାର କହିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ବିଧାନସଭାର ମୋଟ ୭୯ କଂଗ୍ରେସ ବିଧାୟକରୁ ୧୩ ଜଣ ଇସ୍ତଫା ଦେଇ ସାରିଛନ୍ତି । ଯାହାକୁ ନେଇ ସଙ୍କଟରେ ଅଛି କୁମାରସ୍ୱାମୀ ସରକାର । ତେବେ ଆସନ୍ତା ସୋମବାର ବିଧାନସଭାରେ ନିଜ ଆସ୍ଥା ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଆସ୍ଥା ପରୀକ୍ଷା ଦେବା ଆଗରୁ ନାଗରାଜଙ୍କ ଏ ଭରସା ମେଣ୍ଟ ସରକାର ପାଇଁ ଏକ ବଡ ଅସ୍ତ୍ର ।