ଜୋର ଧରିଲା କୁମାରସ୍ୱାମୀଙ୍କ ଇସ୍ତଫା ଦାବି: ଆଜି ବିଧାନସଭାରେ ଧାରଣା ଦେବ ବିଜେପି

108

କନକ ବ୍ୟୁରୋ: କର୍ଣ୍ଣାଟକ ନାଟକରେ ପୁଣି ଆସିଛି ନୂଆ ମୋଡ । ଗତ କିଛି ଦିନ ହେବ ସାରା ଦେଶ କର୍ଣ୍ଣାଟକ ନାଟକ ଦେଖୁଥିବା ବେଳେ ଏବେ କୁମାରସ୍ୱାମୀଙ୍କୁ ନେଇ ତିଆରି ହୋଇଛି ଆଉ ଏକ ନୂଆ ଦୃଶ୍ୟପଟ । ତେବେ ପୁରୁଣା ନାଟକର କୁମାରସ୍ୱାମୀଙ୍କ ନାଁ ନେଇ ଏଣ୍ଟ୍ରି କରିଛି ବିଜେପି ଆଉ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛି । କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରି ଆଜି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତି ତଳେ ଧାରଣା ଦେବେ ବିଜେପି ବିଧାୟକ ।
ତେବେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏଥି ସହ ରାଜ୍ୟପାଳ ଭଜ୍ଜୁଭାଇ ଭାଲ୍ଲାଙ୍କୁ ଆଜି ୟେଦୁରପ୍ପା ଭେଟିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଆଜି ବିଦ୍ରୋହୀ ବିଧାୟକଙ୍କୁ ମୁମ୍ବାଇ ହୋଟେଲରେ ଭେଟିପାରନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାର । ସେ ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ମନାଇବାକୁ ଚେଷ୍ଟା କରିବେ । ଏପଟେ ଇସ୍ତଫା ଦେଇଥିବା ୧୩ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କ ଇସ୍ତଫାକୁ ଗ୍ରହଣ କରିନାହାଁନ୍ତି ବାଚସ୍ପତି । ସମ୍ବିଧାନର ନିୟମ ଅନୁସାରେ ସେମାନେ ସେମାନଙ୍କ ଇସ୍ତଫା ପତ୍ର ଦେଇନଥିବାରୁ ଇସ୍ତଫାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତିି ବାଚସ୍ପତି । ଜୁଲାଇ ୧୨ ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ସେମାନଙ୍କ ପକ୍ଷ ରଖିବାକୁ ସେମାନଙ୍କୁ ନୋଟିସ୍ କରିଛନ୍ତି । ଆଉ ସେହି ଦିନ ଅପରାହ୍ନରେ ହିଁ ସେମାନଙ୍କ ଇସ୍ତଫା ନେଇ ଶୁଣାଣି ହେବ ।

ତେବେ ଗତକାଲି ଆଉ ଜଣେ ବିଧାୟକ ଇସ୍ତଫା ଦେବା ପରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ୧୪ରେ ପହଁଚିଛି । ଫଳରେ ମେଣ୍ଟ ସରକାର ପାଇଁ ଆହୁରି ଅଡୁଆ ବଢ଼ିଛି । ଯାହା କୁମାରସ୍ୱାମୀଙ୍କ ପାଇଁ ସରକାର ବଞ୍ଚାଇବା ଏକପ୍ରକାର ଅସମ୍ଭବ ହୋଇପଡିବ । ୨୨୪ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ- ଜେଡିଏସ ମେଣ୍ଟ ନିକଟରେ ୧୧୬ ବିଧାୟକ ଥିଲେ । ଯଦି କଂଗ୍ରେସ ବିଧାୟକଙ୍କ ଇସ୍ତଫାକୁ ଗ୍ରହଣ କରାଯାଏ ତେବେ କଂଗ୍ରେସ-ଜେଡିଏସ୍ ବିଧାୟକଙ୍କ ସଂଖ୍ୟା ୧୦୨କୁ ଖସି ଆସିବ । ସେପଟେ ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପରେ ବିଜେପି ସଂଖ୍ୟା ୧୦୭ରେ ପହଁଚିଛି । ଯାହା କୁମ୍ବାରସ୍ୱାମୀଙ୍କ ହାତରୁ ସରକାର ଖସି ବିଜେପି ହାତକୁ ଯାଉଥିବା ସ୍ପଷ୍ଟ ଚିତ୍ର ଦେଖାଉଛି ।