ମୋର ରାଜନୀତିକୁ ଆସିବା ଭୁଲ ହୋଇଗଲା, ପଦ ଛାଡିବାକୁ ପ୍ରସ୍ତୁତ- କୁମାରସ୍ୱାମୀ

202

କନକ ବ୍ୟୁରୋ: ଭାଙ୍ଗି ଯାଇପାରେ କୁମାରସ୍ୱାମୀଙ୍କ ସରକାର । ଦୀର୍ଘ ୧୫ ଦିନ ହେବ କର୍ଣ୍ଣାଟକରେ ଚାଲିଥିବା ନାଟକରେ ଆଜି ପଡିପାରେ ଯବନିକା । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ୧୫ ବିଧାୟକ ଇସ୍ତଫା ଦେବା ପରେ ସଙ୍କଟରେ ପଡିଛି ସ୍ୱାମୀ ସରକାର ।

ତେବେ ସରକାର ସଙ୍କଟରେ ଥିବା ବେଳେ ଆସ୍ଥା ପରୀକ୍ଷା ପାଇଁ ଅଡି ବସିଛନ୍ତି ବିରୋଧୀ । ଆସ୍ଥା ପରୀକ୍ଷା ପାଇଁ ଗୃହରେ ତାରିଖ ପରେ ତାରିଖ ଘୁଞ୍ଚି ଚାଲିଥିଲା ବେଳେ ସୋମବାର ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କାଲି କିଛି ହୋଇପାରିଲାନି । ଆଜି ବାଗୀ ବିଧାୟକ ମାନେ ବିଧାନସଭା ଆସିବା ପରେ ଗୃହରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜର ଭାଷଣ ରଖୁଛନ୍ତି ।

ତେବେ ନିଜ ଭାଷଣରେ କୁମାରସ୍ୱାମୀ ପଦ ଛାଡିବାର ଇସାରା ଦେଇଛନ୍ତି ।

ଦରକାର ପଡିଲେ ମୁଁ ଖୁସିରେ ପଦ ଛାଡିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ମୁଁ ସିନେମା ଜଗତ ଲୋକ, ରାଜନୀତିକୁ ଆସିବା ମୋ ଭୁଲ ହୋଇଗଲା । ଆସ୍ଥା ଭୋଟ ଟାଣିବା ମୋର ଉଦ୍ଦେଶ୍ୟ ନୁହେଁ । କର୍ଣ୍ଣାଟକ ଜନସାଧାରଣଙ୍କୁ ମୁଁ କ୍ଷମା ମାଗୁଛି । ମୁଁ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଉଛି।

କୁମାରସ୍ୱାମୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ତେବେ ସ୍ୱାମୀଙ୍କ ଏଭଳି ନିରାଶ ଜନକ ଭାଷଣରୁ ତାଙ୍କ ପରାଜୟର ଆଭାସ ମିଳୁଛି । କୁମାରସ୍ୱାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇ ପାରିବେନି ବୋଲି ତାଙ୍କ କଥାରୁ ଅନୁମାନ କରି ହେଉଛି । ଆଉ ଯଦି କୁମାରସ୍ୱାମୀ ବିଶ୍ୱାସ ପରୀକ୍ଷାରେ ଫେଲ ହୁଅନ୍ତି ତେବେ ସେ ଇସ୍ତଫା ଦେବେ ଆଉ ତାଙ୍କ ସରକାର ଭାଙ୍ଗିବ ।