ଆଜି କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲା ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । କାଲି ବିଧାନସଭାରେ ଆସ୍ଥାଭୋଟର ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

ସୁପ୍ରିମକୋର୍ଟରୁ ଆଜି ବାହାରିବ କର୍ଣ୍ଣାଟକ ରାଜନୈତିକ ସଂକଟର ସମାଧାନ

52

କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ଆଜି ବାହାରିବ କର୍ଣ୍ଣାଟକ ରାଜନୈତିକ ସଂକଟର ସମାଧାନ । ବିଦ୍ରୋହୀ ବିଧାୟକଙ୍କୁ ନେଇ ଆଜି ଚୂଡାନ୍ତ ଫଇସଲା ଶୁଣାଇବେ ଖଣ୍ଡପୀଠ । ଏନେଇ ଆଜି ଶୁଣାଣୀ କରିବେ ସୁପ୍ରିମକୋର୍ଟ । ତେବେ ଗତକାଲି ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ବାଚସ୍ପତି କଣ କରିବେ ସେନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବେ ନା ନାହିଁ ସେ ନେଇ ଖଣ୍ଡପୀଠ କୌଣସି ହସ୍ତକ୍ଷେପ କରିବେ ନାହିଁ । କୋର୍ଟ କେବଳ ଏହା ଦେଖିବେ , ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବାଚସ୍ପତି ପ୍ରଥମେ କେଉଁ ନିଷ୍ପତି ନେଇ ପାରିବେ ।

ସିଜେଆଇଙ୍କ ଟିପ୍ପଣୀ ୧୫ ଜଣ ବିଦ୍ରୋହୀ ବିଧାୟକଙ୍କୁ ଝଟକା ଦେଇଛି । ସୁପ୍ରିମକୋର୍ଟରେ ବିଦ୍ରୋହୀ ବିଧାୟକଙ୍କ ଓକିଲ ମୁକୁଲ ରୋହତଗି ପକ୍ଷ ରଖି କହିଥିଲେ ବିଧାୟକ ଇସ୍ତଫା ଦେବାକୁ ଚାହିଁଲେ ବାଚସ୍ପତି ବଳପୂର୍ବକ ଇସ୍ତଫା ରୋକିପାରିବେ ନାହିଁ । ସେହିପରି ବାଚସ୍ପତି କେଆର ରମେଶ କୁମାରଙ୍କ ପକ୍ଷ ରଖିଛନ୍ତି ଓକିଲ ଅଭିଷେକ ମନୁସିଂଘଭି । ସେ କୋର୍ଟରେ କହିଛନ୍ତି ଇସ୍ତଫା ଦେଇଥିବା ବିଧାୟକମାନେ ଇସ୍ତଫା ଦେବା ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ । ତେବେ କଣ ରାୟ ଦେଉଛନ୍ତି ସୁପ୍ରିମକୋର୍ଟ ତା’ ଉପରେ ସମସ୍ତଙ୍କ ନଜର ରହିବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ନିର୍ଭର କରୁଛି ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବାକୁ ଯାଉଥିବା କୁମାରସ୍ୱାମୀ ସରକାରଙ୍କ ଆସ୍ଥା ଭୋଟର ଭାଗ୍ୟ ।