କନକ ବ୍ୟୁରୋ : ବାଜୁଛି ମାଦଳ । ଆଉ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଆଦିବାସୀ । କରମା ପୂଜା ଅବସରରେ ସମସ୍ତେ ମସଗୁଲ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ବଣା ଗାଁରେ ଅନୁଷ୍ଠିତ ହୋଇଛି ଆଦିବାସୀଙ୍କ କରମା ପୂଜା । କରମା ପୂଜା ପାଇଁ ଆଦିବାସୀ ମାନେ ପ୍ରଥମେ ନଦୀରୁ ବାଲି ଆଣି ସେଥିରେ ମୁଗ ଗଜା କରନ୍ତି । ମୁଗ ଗଜା ହେବା ପରେ କଇଁ ଗଛର ଡାଳ ପୋତି ତାକୁ ପୂଜା କରନ୍ତି । ଦୀର୍ଘ ବର୍ଷ ହେଲା ଆଦିବାସୀ ଲୋକମନେ ମାନସୀକ ପୂରଣ ଓ ଗ୍ରାମବାସୀଙ୍କ ମଙ୍ଗଳ କାମନା ପାଇଁ କରମା ପୂଜା କରୁଛନ୍ତି । କରମା ମାନେ ଶିବ ଓ ଧରମା ମାନେ ପାର୍ବତୀ ବୋଲି ମାନି ବେଶ ଧୁମ୍ଧାମରେ ପୂଜାର୍ଚ୍ଚନା କରନ୍ତି । ଏହି ପର୍ବରେ ସବୁ ବୟସର ବ୍ୟକ୍ତି ବିଶେଷ ମିଳିମିଶି ଗୀତ ଗାଇ ନାଚି ଏହି ପୂଜାକୁ ବେଶ ଉତ୍ସାହର ସହ ପାଳନ କରନ୍ତି । ଏହା ଆଦିବାସୀଙ୍କ ବଡ଼ ପର୍ବ ବୋଲି ମାନିଥାନ୍ତି । ୨ ଦିନ ଧରି କରମା ପୂଜା ଚାଲିଥିବା ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଅଂଚଳର ଲୋକଙ୍କ ଭିଡ଼ ଜମିଥାଏ ।