ମାଟି ମାଆର ପୂଜା ପାଇଁ କରମା ଯାତ୍ରା: ସୁବର୍ଣ୍ଣପୁରରେ ଭାଦ୍ରବ ମାସରେ ହୁଏ ମା କରମାସନିଙ୍କ ପୂଜାର୍ଚ୍ଚନା

100

କନକ ବ୍ୟୁରୋ: ପ୍ରକୃତି ପୂଜା, ମାଟି ମାଁ ସହିତ ବୃକ୍ଷ ଉପାସନା । କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସି ସଂମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମାଁ କରମସାନି ପୂଜାରେ । କୃଷି ଭିତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହ ଧନ, ଜନ , ଗୋପ ଲକ୍ଷ୍ମୀ ଚର୍ତୁବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଭାଦ୍ରବ ମାସରେ ଆଦିବାସୀ ସଂସ୍କୃତିର ଏହି ମହାନ ପର୍ବ ସୁବର୍ଣ୍ଣପୁର ଜିଲ୍ଲାର ପଡା ପଡାରେ ପାଳିତ ହୁଏ ।

ଭାଦ୍ରବ ମାସ ଏକାଦଶୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ଆଦିବାସୀ ପଡାରେ ଶୁଭେ ଏହି ଗୀତ । ଭାଦ୍ରବ ଶୁକ୍ଳ ପଂଚମୀ ତିଥିରୁ ଆରମ୍ଭ ହେଉଥିବା ମାଁ କରମସାନି ପୂଜାରେ ଶୁକ୍ଳ ଦ୍ୱାଦଶ ତିଥିରେ ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି ହୁଏ । ନଦୀରୁ ବାଲି ଆଣି ସାତ ପ୍ରକାର ଶସ୍ୟକୁ ସାତ ଦିନ ଆଗରୁ ଗଜା କରାଯାଏ । ଏହାପରେ ଜଙ୍ଗଲରୁ କରମା ଡାଳକୁ ବରଣ କରି ପୂଜା ମଣ୍ଡପରେ ପ୍ରତିଷ୍ଠା କରାଯାଏ । ଏକାଦଶୀ ତିଥି ରାତିରେ ସାତ ଭଉଣୀ ମାଇ ମୁଜୁଲିକୁ ଆଣି ମଡୁଆ ତଳେ ରଖି ସାତ ପ୍ରକାର ଫୁଲ, ସାତ ପ୍ରକାର ଫଳ, ଧୁପ, ଦୀପ ଦେଇ ପୂଜାର୍ଚ୍ଚନା କରି ମାଁ କରମସାନିଙ୍କୁ ଆବାହନ କରନ୍ତି ।

ଏହି ପର୍ବର ମୂଖ୍ୟ ଆକର୍ଷଣ ହେଲା ଆଦିବାସୀ ମାନଙ୍କର କରମସାନି ନୃତ୍ୟ । ଧଂଙ୍ଗରା, ଧାଙ୍ଗିରୀ, ବୁଢା ବୁଢୀ ଠୁ ଆରମ୍ଭ କରି ଛୋଟ ପିଲା ସଭିଏଁ ସାରା ରାତି ମାନ୍ଦଲର ସୂରେ ସୂରେ ନାଚିଥାନ୍ତି । କୃଷି ଭିତିକ କରମସାନି ପର୍ବ ପାଳନ କଲେ ମାଟି ମାଁ ବର୍ଷ ଯାକର ଆହାର ଦିଏ ବୋଲି ଆଦିବାସୀଙ୍କର ବିଶ୍ୱାସ ରହିଛି ।

ଆଧୁନିକତାର ପ୍ରଭାବରେ ଆଜି ବି ମଳିନନି କରମସାନି ପରଂମ୍ପରା । ଗାଁ ଗହଳୀ ଠୁ ଆରମ୍ଭ କରି ସହରରେ ରହୁଥିବା ଆଦିବାସୀ ସଂମ୍ପ୍ରଦାୟର ଲୋକେ ବଡ ଜାକ ଜମକର ସହିତ ପାଳନ କରୁଛନ୍ତି ଏହି ପର୍ବ ।