କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । ୧୪ ଦିନ ଭିତରେ ଆଖିବୁଜିଲେଣି ମୋଟ ୬ଟି ହାତୀ ।

119

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ବନ ବିଭାଗର ଚିନ୍ତା ବଢାଇ ଦେଇଛି । କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଫଳରେ ଗତ ୧୪ ଦିନ ଭିତରେ ଆଖି ବୁଜିଲେଣି ମୋଟ ୬ଟି ହାତୀ । ତେବେ କାହିଁକି ଏଭଳି ହାତୀଙ୍କର ମୃତ୍ୟୁ ହେଉଛି ତାର କାରଣ ଖୋଜିବାକୁ ପହଂଚିଛନ୍ତି ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆ ଟିମ୍ । ଏହି ବିଶେଷଜ୍ଞ ଦଳରେ ଅଛନ୍ତି ଡାକ୍ତର ସୁସେନ ପଣ୍ଡା । ୫ଟି ହାତୀର ପୋଷ୍ଟମର୍ଟମ ରିପୋର୍ଟ ଆସିଥିବାବେଳେ ଏଥିରୁ ଜଣାପଡିଛି ।
କରଲାପାଟରେ କାହିଁକି ମରୁଛନ୍ତି ହାତୀ?
– ସାହାଣ ରୋଗରେ ଆକ୍ରାନ୍ତ ହୋଇ ହାତୀଙ୍କ ମୃତ୍ୟୁ ହେଉଛି
– ଏହି ରୋଗକୁ ହାମୋରେଜିକ ସେପ୍ଟିସେମିଆ କୁହାଯାଏ
– ସାଧାରଣତଃ ଗାଈ ଗୋରୁଙ୍କୁ ଏହି ସାହାଣ ରୋଗ ହୋଇଥାଏ
– ହାମୋରେଜିକ ସେପ୍ଟିସେମିଆ ଏକ ଭୂତାଣୁ ଜନିତ ରୋଗ
– ଏଥିସହ ନିମୋନିଆ ହେଲେ ହାତୀଙ୍କ ପ୍ରାଣ ଚାଲିଯାଉଛି

ବିଶେଷଜ୍ଞଙ୍କ କହିବା ହେଲା ଗୃହପାଳିତ ପଶୁଙ୍କଠାରୁ ବ୍ୟାପିଥାଏ ଏହି ଭୂତାଣୁ ଜନିତ ରୋଗ । ତେବେ ହାତୀଙ୍କଠାରୁ ଯେଭଳି ଆଖାପଖାରେ ଥିବା ଅଂଚଳକୁ ଏହି ରୋଗ ନବ୍ୟାପେ ସେଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି । ତେଣୁ ଆଖପାଖ ଅଂଚଳରେ ରାଜ୍ୟ ସରକାରଙ୍କ ଭେଟେରେନାରୀ ବିଭାଗ ପକ୍ଷରୁ ଟିକାକରଣ ଚାଲିଛି ।

ଗତ ୧ ତାରିଖରେ କର୍ଲାପାଟ ନିକଟ ତେନ୍ତୁଳିପଦରଠାରେ ଏକ ହାତୀର ମୃତ୍ୟୁ ହୋଇଥିଲା । ପରେ କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡିରେ ଆଖି ବୁଜିଥିଲେ ୩ଟି ହାତୀ । ଶନିବାର ଆଉ ଏକ ହାତୀର ମୃତ୍ୟୁ ହୋଇଥିବାବେଳେ ୧୪ ଦିନରେ ୬ଟି ହାତୀଙ୍କ ମୃତ୍ୟୁ ହେଲାଣି । ଭୁବନେଶ୍ୱର ଓୟୁଏଟିର ଲ୍ୟାବ କୋଅର୍ଡିନେଟର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍ ଭବାନୀପାଟଣାରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।