କାରଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି: ସହିଦଙ୍କ ମଧ୍ୟରେ ଥିଲେ ଭଦ୍ରକ ପାଙ୍ଗୁଡା ଗାଁର ନିରଞ୍ଜନ ବେହେରା; ମାତ୍ର ୧୬ ବର୍ଷ ବୟସରେ ଘରୁ ଲୁଚି ସେନାରେ ଯୋଗ ଦେଇଥିଲେ ନିରଞ୍ଜନ

186

କନକ ବ୍ୟୁରୋ: କାରଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।  ସହିଦଙ୍କ ମଧ୍ୟରେ ଥିଲେ  ଭଦ୍ରକ ଚାନ୍ଦବାଲି ବ୍ଲକ  ପାଙ୍ଗୁଡା ଗାଁର  ନିରଞ୍ଜନ ବେହେରା ।  ଗାଁ ପୁଅକୁ ହରାଇ ଏବେ ଝୁରୁଛି ଗାଁ ମାଟି ।  ନିରଞ୍ଜନଙ୍କୁ ଝୁରୁଛନ୍ତି ବୃଦ୍ଧ ବାପା ଓ ପତ୍ନୀ ।  ମାତ୍ର ୧୬ ବର୍ଷ ବୟସରେ  ଘରୁ ଲୁଚି ସେନା ବାହିନୀରେ ନିରଞ୍ଜନ ଯୋଗଦେଇଥିଲେ ।  କାରଗିଲ ଯୁଦ୍ଧସମୟରେ  ନିରଞ୍ଜନଙ୍କ ଚିଠି ପାଇଁ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇଥିଲେ । ଏଥିରେ ସେ ଲେଖିଥିଲେ , ଯୁଦ୍ଧ ସରିଆସିଲାଣି  ଓ ସେ ଶୀଘ୍ର ଘରକୁ ଫେରିବେ ।

ମାତ୍ର ସମୟର ଗତି ଥିଲା ଅଲଗା । ଶତ୍ରୁପକ୍ଷର ଗୁଳିରେ  ମାତ୍ର ୨୮ ବର୍ଷ ବୟସରେ ନିରଞ୍ଜନ ପ୍ରାଣ ହରାଇଥିଲେ ।  ବର୍ତମାନ ନିରଞ୍ଜନ ବେହେରାଙ୍କ ପୁଅ ସମ୍ବିତ ବେହେରା  ୨୪ ବର୍ଷରେ ପଦାର୍ପଣ କରିଛନ୍ତି ।  ଫଟୋ ଆଲବମ ଦେଖି ସେ ବାପାଙ୍କୁ ଝୁରୁଛନ୍ତି  । ଶେଷ ଚିଠିକୁ  ଶେଷ ସନ୍ତକ ଭାବରେ ସାଇତି ରଖି  ପତିଙ୍କୁ ଝୁରୁଛନ୍ତି ପତ୍ନୀ ସନ୍ଧ୍ୟାରାଣୀ ।  ସନ୍ଧ୍ୟାରାଣୀ ଚାନ୍ଦବାଲି ତହସିଲରେ ନିଯୁକ୍ତି ପାଇଛନ୍ତି । ପୁଅ କୋଲାକତାରେ କାମ କରୁଛନ୍ତି । ସହିଦଙ୍କ ଗାଁରେ ଏକ ପାର୍କ, ଲାଇବ୍ରେରୀ ଓ ଏକ କ୍ଲବ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୃତି ଦିଆଯାଇଥିଲା । କିନ୍ତୁ ଏହା ବର୍ତମାନ ସୁଦ୍ଧା ପାଳନ ହୋଇନାହିଁ ।  ୨୧ ବର୍ଷ ପରେ ବି ସହିଦଙ୍କ ସମାଧି ପୀଠ ଅବହେଳିତ ଅବସ୍ଥାରେ ଅଛି ।