ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ । ୨୨ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ, ପାକ୍ ଅନୁପ୍ରବେଶକାରୀଙ୍କୁ ବିତାଡିତ କରି ଟାଇଗର ହିଲରେ ତ୍ରିରଙ୍ଗା ଉଡାଇଥିଲେ ଭାରତୀୟ ଯବାନ ।

256

ବନ୍ଦେ ମାତରମ୍, ବନ୍ଦେ ମାତରମ୍…
ଭାରତ ମାତା କି ଜୟ, ଭାରତ ମାତା କି ଜୟ..
କନକ ବ୍ୟୁରୋ : ଭାରତ ମାଆର ଜୟଗାନରେ ସେଦିନ ଫାଟିପଡୁଥିଲା ପୂରା ଦେଶ । ସାରା ବିଶ୍ୱ ଦେଖିଥିଲା ହିନ୍ଦୁସ୍ତାନର ଦମ୍ । ସୈତାନ ଶତ୍ରୁର ସବୁ ଷଡଯନ୍ତ୍ରକୁ ମାତ୍ ଦେଇଥିଲେ ଭାରତର ବୀର ଯବାନ । ଆଉ ପାକିସ୍ତାନ କବଜା କରିଥିବା ସବୁ ଘାଟିରେ ଉଡିଥିଲା ତ୍ରିରଙ୍ଗା ।

କାର୍ଗିଲ ବିଜୟକୁ ଆଜି ପୁରିଛି ୨୨ ବର୍ଷ । ୧୯୯୯ ଜୁଲାଇ ମାସର ଆଜିର ଦିନରେ ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ପାନେ ଚଖେଇଥିଲା ଭାରତୀୟ ସେନା । ଯାହା ଇତିହାସରେ ଚିରକାଳ ଲେଖା ହୋଇରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲେ ଭାରତୀୟ ସେନାର ବୀର ଯବାନ ।

ଦୀର୍ଘ ୬୦ ଦିନ ଧରି ଚାଲିଥିଲା କାର୍ଗିଲ ଯୁଦ୍ଧ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ସହିଦଙ୍କ ସାହସିକତା ଓ ଦେଶପାଇଁ ବଳିଦାନକୁ ଆଜି ମନେ ପକାଇ ବେଶ୍ ଗର୍ବିତ ଅନୁଭବ କରୁଛି ସାରା ଦେଶ ।

୨୨ ବର୍ଷ ତଳେ ପାକ୍ ଅନୁପ୍ରବେଶକାରୀଙ୍କୁ ବିତାଡିତ କରି ଟାଇଗର ହିଲରେ ତ୍ରିରଙ୍ଗା ଉଡାଇଥିଲେ ଭାରତୀୟ ଯବାନ । ସମୁଦ୍ର ପତନ ଠାରୁ ୧୮ ହଜାର ଫୁଟ୍ ଉଚ୍ଚ ଏବଂ ରକ୍ତ ବରଫ ପାଲଟିଯିବା ଭଳି ମାଇନସ୍ ୪୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଶତ୍ରୁସୈନ୍ୟର ମୁକାବିଲା କରିବା ହୁଏତ କୌଣସି ଦେଶର ସେନା ପାଇଁ ସହଜ ନୁହେଁ । ହେଲେ ମାଟି ମାଆର ସୁରକ୍ଷା ପାଇଁ ଛାତିରେ ସିନା ଗୁଳି ଖାଇଥିଲେ, କିନ୍ତୁ ପଛକୁ ହଟିନଥିଲେ ।

ଏହି ବିଜୟ ଏତେ ସହଜ ନଥିଲା । ଭାରତୀୟ ଯବାନଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ଘାଟିର ଉପରକୁ ଚଢିବା । କାରଣ ଘାଟି ଉପରୁ ଆଖିବୁଜା ଗୁଳିବୁଜା ଗୁଳି ମାଡ କରୁଥିଲେ ଆତଙ୍କୀ, ଆଉ ପାହାଡର ତଳେ ରହି ଉପରକୁ ଗୁଳି ମାରିବା ସହଜ ନଥିଲା । ଦୁଇ ମାସର ରକ୍ତାକ୍ତ ସଂଘର୍ଷ ଏବଂ ଭାରତୀୟ ସେନାର ମୁହଁତୋଡ ଜବାବ ପରେ ଭୟରେ ପଛକୁ ହଟିଥିଲା ପାକିସ୍ତାନ ।

ଏହାରି ଭିତରେ ବର୍ଷ ପରେ ବର୍ଷ ବିତିଚାଲିଛି । କିନ୍ତୁ କାରଗିଲ ଯୁଦ୍ଧରେ ଯବାନଙ୍କ ବଳିଦାନକୁ ନା କେହି ଭୁଲିପାରିଛି ନା କେହି ଭୁଲିପାରିବେ । ସମସ୍ତଙ୍କ ମନରେ ଏହି ଦିନଟି ସ୍ମରଣୀୟ ହୋଇରହିଯାଇଛି । ଆଉ ଜୁଲାଇ ୨୬ ତାରିଖକୁ କାରଗିଲ ବିଜୟ ଦିବସ ଭାବେ ସାରା ଦେଶ ପାଳୁଛି ।