କାର୍ଗିଲ ବିଜୟକୁ ପୁରିଲା ୨୧ ବର୍ଷ: ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ; ଅମର ଯବାନ ଜ୍ୟୋତି ଓ ୱାର ମେମୋରିଆଲରେ ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି

୨୧ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ

475

କନକ ବ୍ୟୁରୋ: ଆଜି କାର୍ଗିଲ ବିଜୟ ଦିବସ । କାର୍ଗିଲ ବିଜୟକୁ ପୁରିଲା ୨୧ ବର୍ଷ । ୧୯୯୯ ଜୁଲାଇ ମାସର ଆଜିର ଦିନରେ ଭାରତୀୟ ସେନାର ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ପାନେ ଚଖେଇଥିଲା । ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ଷାଠିଏ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧର ଲଢେଇ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ।

ଏହି କ୍ରମରେ ଜାମ୍ମୁ କାଶ୍ମୀରର ଦ୍ରାସ୍ ସେକ୍ଟରରେ ଭାରତୀୟ ସେନା ପାଳନ କରୁଛି କାର୍ଗିଲ୍ ବିଜୟ ଦିବସ । ସହିଦ ଜବାନଙ୍କ ପରିବାର ସହ ଭାରତୀୟ ସେନାର ସାହସିକତା ଓ ବଳିଦାନର ସ୍ମୃତିକୁ ତାଜା କରିଛି ସେନା । ୧୯୯୯ ଯୁଦ୍ଧ ଲଢିଥିବା ସେନା ସେହି ଦିନର ଯୁଦ୍ଧର ଭୟଙ୍କର ସ୍ଥିତି ଓ ଭାରତୀୟ ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି । ସହିଦଙ୍କ ସାହସିକତା ଓ ଦେଶପାଇଁ ବଳିଦାନକୁ ମନେ ପକାଇ ବେଶ୍ ଗର୍ବିତ ଅନୁଭବ କରୁଥିବା କହିଛନ୍ତି । ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ଅମର ଜ୍ୟୋତି ଠାରେ ବୀର ଜବାନଙ୍କୁ ଶ୍ରଦ୍ଧାଂଜଳି ଦେବ ଦେଶ । ଦିଲ୍ଲୀର ୱାର ମୋମୋରିଆଲ୍ ରେ ସହିଦ ଜବାନଙ୍କ ସ୍ମୃତି ସ୍ତମ୍ଭରେ କରାଯିବ ମାଲ୍ୟାର୍ପଣ । କରୋନା କଟକଣା ଭିତରେ କାର୍ଗିଲ ଯୁଦ୍ଧର ସହିଦ ଜବାନଙ୍କ ସ୍ମୃତିରେ ଦେଶର ବିଭିନ୍ନ ସ୍ଥାନରେ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜନ ହେଉଛି ।

ଯେତେବେଳେ କାର୍ଗିଲ୍ ବିଜୟ ଦିବସର କଥା ଉଠିଥାଏ, ସମସ୍ତଙ୍କ ମନକୁ ଆସିଥାଏ ଗୋଟିଏ ନାଁ । କ୍ୟାପଟେନ୍ ସୌରଭ୍ କାଲିଆ । ଏହା ସେହି ନାଁ , ଯିଏ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ହୋଇଥିଲେ ପ୍ରଥମ ସହିଦ । କାର୍ଗିଲ ଯୁଦ୍ଧରେ ସହିଦ ହେବା ବେଳକୁ କ୍ୟାପଟେନ୍ ସୌରଭ କାଲିଆ ମାତ୍ର ୨୨ ବର୍ଷର ଥିଲେ । କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ସେନା ତାଙ୍କୁ ପ୍ରଥମେ ବନ୍ଦୀ ବନେଇଥିଲା । ଏହା ପରେ ଦେଇଥିଲା ଅକଥନୀୟ ନିର୍ଯ୍ୟାତନା । ନିର୍ମମ ଭାବେ ହତ୍ୟା କରାଯାଇଥିଲା । ୫ ଜଣ ସାଥୀଙ୍କ ସହିତ ପାଟ୍ରୋଲିଂ କରୁଥିବା ବେଳେ ସୌରଭ କାଲିଆଙ୍କୁ ଧରି ନେବା ପରେ ପାକିସ୍ତାନୀ ସେନା ଅତି ବିଭତ୍ସ ଭାବରେ ତାଙ୍କୁ ହତ୍ୟା କରିଥିଲା । ସୌରଭ କାଲିଆ ସେନାର ପ୍ରଥମ ଅଧିକାରୀ ଥିଲେ ଯିଏ ପ୍ରଥମେ ପାକିସ୍ତାନୀ ସେନାର ଅନୁପ୍ରବେଶ ନେଇ ସୂଚନା ଦେଇଥିଲେ ।

କୁହାଯାଇଥାଏ ତାଙ୍କୁ ରଡ୍ ରେ ପିଟି ପିଟି ହତ୍ୟା କରିଥିଲା ପାକିସ୍ତାନୀ ସେନା । ତାଙ୍କର ଆଖି ତାଡି ଦିଆଯାଇଥିଲା । ଗୁପ୍ତାଙ୍ଗକୁ କାଟି ଦିଆଯାଇଥିଲା । ପାକିସ୍ତାନର ଏପରି କାର୍ଯ୍ୟ ସତ୍ୱେ ବି ଶତ୍ରୁ ପାଖରେ ମୁଣ୍ଡ ନୁଆଁଇନଥିଲେ କ୍ୟାପଟେନ୍ ସୌରଭ କାଲିଆ । ଦେଶ ପାଇଁ ସହିଦ ହୋଇଯାଇଥିଲେ । ସୌରଭ କାଳିଆଙ୍କ ସାହସିକତା ଓ ବଳିଦାନ ପରବର୍ତି ସମୟରେ ଭାରତୀୟ ଜବାନଙ୍କୁ କାର୍ଗିଲ ଯୁଦ୍ଧରେ ଲଢିବାକୁ ପ୍ରେରଣା ଯୋଗାଇଥିଲା । ବ୍ୟର୍ଥ ଯାଇନଥିଲା ବଳିଦାନ । ଶେଷରେ ପାକିସ୍ତାନକୁ ଧୂଳି ଚଟେଇ ଭାରତ ହାସଲ କରିଥିଲା ଐତିହାସିକ କାର୍ଗିଲ ବିଜୟ ।