ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇବ କରଂଜକୋଟ । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ

156

କନକ ବ୍ୟୁରୋ: ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇବ କରଂଜକୋଟ । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ କରଂଜକୋଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କର ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବଣ ଭୋଜି ପାଇଁ ଲାଗୁଛି ଲୋକଙ୍କ ଗହଳି । ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମନ୍ୟତା ପାଇଁ ଦାବି ହେଉଥିବା ବେଳେ ଏବେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶୋଭାରାଜିରେ ଭରି ରହିଛି କଳାହାଣ୍ଡି କରଂଜକୋଟ । ୧୯୭୧ ମସିହାରୁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ଡ଼୍ୟାମ ନିର୍ମାଣ ହୋଇଛି । ଆଉ ଡ଼୍ୟାମ ପାଖରେ ଥିବା ଶିବ ମନ୍ଦିର ସୌନ୍ଦର୍ଯ୍ୟର ଶୋଭାବର୍ଦ୍ଧନ କରୁଛି । ବଣ ଭୋଜି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଏସବୁ ଦୃଷ୍ଟିରୁ କରଂଜକୋଟକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଆଉ ଏହି ପ୍ରସ୍ତାବକୁ ଅଗ୍ରାଧିକାର ଦେଇ ପର୍ଯ୍ୟଟନ ବିଭାଗର ନିର୍ଦେଶ କ୍ରମେ ଭିତିଭୁମିର ସମୀକ୍ଷା କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ ।

ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ଡ଼୍ୟାମରେ ବୋଟିଂ ବ୍ୟବସ୍ଥା କରାଯିବ । ଏହାସହ ଡ଼୍ୟାମକୁ ଲାଗି ଏକ ପାର୍କ ନିର୍ମାଣ କରାଯିବ । ପ୍ରଶାସନ ପକ୍ଷରୁ ଏହାର ଭିତିଭୁମି ସମୀକ୍ଷା କରାଯାଇଥିବା ବେଳେ ଆଗକୁ ଏଠାକୁ ଜିଲ୍ଲା ବାହାରର ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି ।

ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇବ କରଂଜକୋଟ । ପ୍ରକୃତିର ଅପରୁପ ସୌନ୍ଦର୍ଯ୍ୟକୁ ଉପଭୋଗ କରି ମଜା ନେବେ ପର୍ଯ୍ୟଟକ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଳହାଣ୍ଡି ଜିଲ୍ଲା ପ୍ରଶାସନ ।