ବନ୍ଧାହେଲେ ଲାଞ୍ଚୁଆ ତହସିଲଦାର : କରଂଜିଆ ତହସିଲଦାର ଚାର୍ଲସ ନାୟକ ଗିରଫ

181

କନକ ବ୍ୟୁରୋ : ବନ୍ଧାହେଲେ ଲାଞ୍ଚୁଆ ତହସିଲଦାର । ଲାଞ୍ଚ ନେବା ଅଭିଯୋଗରେ କରଂଜିଆ ତହସିଲଦାର ଚାର୍ଲସ ନାୟକ ଗିରଫ । ଜମି ଅଧିଗ୍ରହଣ ବାବାଦ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ବ୍ଳାଙ୍କ ଚେକ୍ ମାଧ୍ୟମରେ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କରଂଜିଆ ତହସିଲ ଅଧିନ ଚଢ଼େଭୋଳ ନିକଟ ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ ଜମି ହରାଇଥିବା ପ୍ରକାଶ ଚନ୍ଦ୍ର ପଟ୍ଟୱାରୀ କ୍ଷତିପୂରଣ ବାବଦରେ ୫୧ ଲକ୍ଷ ୭୫ ହଜାର ଟଙ୍କା ପାଇବାକୁ ହକଦାର ଥିଲେ । ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଏହି କ୍ଷତିପୂରଣ ରାଶି ମଂଜୁର କରିଥିବା ବେଳେ କରଂଜିଆ ତହସିଲ ମାଧ୍ୟମରେ ଏହି ଅର୍ଥରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଥିଲା ।

ତେବେ କ୍ଷତିପୂରଣ ରାଶିରୁ ତହସିଲଦାର ଶ୍ରୀ ନାୟକ ୧୨ ଲକ୍ଷ ଟଙ୍କା ଭାଗ ମାଗିଥିଲେ । ଧରପଗଡ଼ରୁ ବର୍ତିବା ପାଇଁ ବ୍ଲାଂକ ଚେକ୍ ମାଧ୍ୟମରେ ସେ ଏହି ଲାଞ୍ଚ ଦାବି କରିଥିଲେ । ତେବେ ଜମି ହରାଇଥିବା ବ୍ୟକ୍ତି ପ୍ରଥମେ ୨ ଲକ୍ଷ ଓ ପରେ ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ । ତେବେ ଏନେଇ ପରବର୍ତ୍ତୀ ସମୟରେ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଏନେଇ ଭିଜିଲାନ୍ସ ମାମଲା ରୁଜୁ କରିବା ସହ ବାରିପଦା ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ସର୍ଚ୍ଚ ୱାରେଂଟ ପାଇଁ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ପରେ ଗତକାଲି ମୟୁରଭଞ୍ଜ, କଟକ, ଭୁବନେଶ୍ୱର ଭିଜିଲାନ୍ସର ୪ଟି ଟିମ୍ କରଂଜିଆ ତହସିଲ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ତାଙ୍କ ପୈତୃକ ଘରେ ଚଢ଼ାଉ କରିଥିଲେ । ଆଜି ସମ୍ପୃକ୍ତ ତହସିଲଦାର ଚାର୍ଲସ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।