ପୁଣି କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । କରଞ୍ଜିଆର କନକ ନ୍ୟୁଜ ପ୍ରତିନିଧି ଅସିତ ବେହେରାଙ୍କ କୋଭିଡରେ ପରଲୋକ ।

204

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା । ନୀରବି ଗଲା ଆଉ ଜଣେ ସାମ୍ବାଦିକଙ୍କ କଣ୍ଠ ସ୍ୱର । କରୋନାରେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ୍ କୁମାର ବେହେରାଙ୍କ ଦେହାନ୍ତ ହୋଇଛି । ଜଣେ ଶାନ୍ତ ସରଳ ଓ କର୍ତବ୍ୟନିଷ୍ଠ ସାମ୍ବାଦିକଙ୍କୁ ଆମ ଗହଣରୁ ଛଡେଇ ନେଇଛି ଏଇ ମହାମାରୀ । କରୋନା ବିରୋଧରେ ୧୨ ଦିନ ଧରି ଲଢ଼େଇ କରି ହାରିଗଲେ ୪୫ ବର୍ଷିୟ ଅସିତ୍ । ମାଆଙ୍କ ମୃତ୍ୟୁର ୨୧ ଦିନରେ ସେ ବି ଚାଲିଗଲେ ଆରପାରିକୁ ।

ଖବର ସଂଗ୍ରହ କରୁଥିବା ମଣିଷ ଆଜି ଖବର ପାଲଟି ଯାଇଛନ୍ତି । ଅନ୍ୟମାନଙ୍କ ଦୁଃଖକଷ୍ଟକୁ ଗଣମାଧ୍ୟମ ଜରିଆରେ ସମସ୍ତଙ୍କ ସାମ୍ନାକୁ ଆଣୁଥିବା ସାମ୍ବାଦିକ ଅସିତ୍ ବେହେରା ନିଜ ପରିବାରକୁ ଦୁଃଖ ସାଗରରେ ଭସେଇ ଦେଇଛନ୍ତି । ମା’ଙ୍କ ମୃତ୍ୟୁର ୨୧ ଦିନରେ ତାଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ଓ ପୁଅକୁ ହରାଇ ଅସହାୟ ହୋଇପଡିଛନ୍ତି ଅସିତଙ୍କ ବାପା ବିନୋଦ ବିହାରୀ ବେହେରା ।

ଗତ ୧୮ ତାରିଖ ମାଆଙ୍କ ଏକାଦଶାହ ଦିନ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅସିତ୍ଙ୍କୁ ଶୁକୃଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ କରୋନା ସଂକ୍ରମିତ ବୋଲି ଜଣାପଡିବା ପରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତି ହୋଇଥିଲେ । ୧୯ ତାରିଖରେ ଅସିତ୍ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୧୦ ଦିନ ଧରି ଭେଂଟିଲେଟରରେ ରହି ଚିକିତ୍ସା ଚାଲିଥିଲେ ବି ଶେଷ ଜୀବନ ଯୁଦ୍ଧରେ ହାରିଗଲେ ଅସିତ୍ । ମୟୂରଭଂଜ ଜିଲ୍ଲାର ଜଣେ କର୍ତବ୍ୟନିଷ୍ଠ ଓ ପରୋପକାରୀ ସାମ୍ବାଦିକ ଅସିତଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।