କନକ ବ୍ୟୁରୋ : ଘରୋଇ ସ୍କୁଲ ପରି ଚମକିବ ସରକାରୀ ସ୍କୁଲ । ସ୍କୁଲରେ ଡିଜିଟାଲ କ୍ଲାସ ରୁମ୍ ସାଙ୍ଗକୁ ମୋଡେଲ ଲାଇବ୍ରେରୀର ବ୍ୟବସ୍ଥା ହେବ । ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ହାଇଜେନିକ୍ ଟଏଲେଟ୍ ସାଙ୍ଗକୁ ଆକର୍ଷଣୀୟ ଖେଳ ପଡିଆ ରହିବ । ଲାଗିବ ୬୦ ଇଂଚର ଏଲଇଡି ଟିଭି । ରହିବ ଡିଜିଟାଲ ଇ-ଲାଇବ୍ରେରୀ । ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାରୀ ଶିକ୍ଷାନୁଷ୍ଠାନକୁ ଆଧୁନିକରଣ କରାଯିବ । ଏଥିପାଇଁ ପ୍ରତି ସ୍କୁଲ ପିଛା ପାଖାପାଖି ୪୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବ ।

Advertisment

ପାଇଲଟ ପ୍ରକଳ୍ପ ଭାବେ ଗଂଜାମ ଜିଲ୍ଲାରୁ କାମ ଆରମ୍ଭ ହୋଇଛି । ହିଂଜିଳିକାଟୁ ଓ ଶେରଗଡ଼ ବ୍ଲକରେ ପ୍ରଥମେ ୫୩ଟି ସ୍କୁଲରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଜିଲ୍ଲାପାଳ ବିଭିନ୍ନ ସ୍କୁଲ ବୁଲି ଭିତିଭୂମିର ଅନୁଧ୍ୟାନ କରିଛନ୍ତି । ଆସନ୍ତା ମାସ ପହିଲା ସୁଦ୍ଧା ସବୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ପିଲାଙ୍କ ପାଇଁ ସ୍କୁଲକୁ ଉତ୍ସର୍ଗୀକୃତ କରିବେ । ଗଂଜାମ ଜିଲ୍ଲାର ୨୨ଟି ବ୍ଲକରେ ୧୩୩ଟି ସ୍କୁଲକୁ ଆଧୁନିକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗଂଜାମ ଜିଲ୍ଲାର ମଡେଲ ସ୍କୁଲକୁ ଆଗାମୀ ଦିନରେ ୧୦୦ ଜଣ ବିଧାୟକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।