କନକ ବ୍ୟୁରୋ : ହାସ୍ୟଅଭିନେତା କପିଲ ଶର୍ମାଙ୍କ କମେଡି ସୋ’ରେ କାମ କରିଥିବା ତୀର୍ଥାନନ୍ଦ ରାଓ ଫେସ୍‌ବୁକ୍ ଲାଇଭ୍‌ରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତାଙ୍କ ଲିଭ୍‌-ଇନ୍ ପାର୍ଟନର ତାଙ୍କୁ ବ୍ଲାକ୍‌ମେଲ କରୁଥିବା ଓ ତାଙ୍କଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ କରିଛନ୍ତି । ଫେସ୍‌ବୁକ୍ ଲାଇଭ୍‌ରେ ଦେଖିବାକୁ ମିଳିଛି ଯେ, ରାଓ ଏକ କୀଟନାଶକ ବୋତଲରୁ କିଛି ତରଳପଦାର୍ଥ ପାନ କରୁଛନ୍ତି । ଭିଡ଼ିଓ ଦେଖି ରାଓଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କ ଘରେ ପହଞ୍ଚି ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେତେବେଳେ ସେ ବେହୋସ୍ ଥିଲେ । ଡାକ୍ତରମାନେ ଚିକିତ୍ସା କରି ତାଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଛନ୍ତି ।

Advertisment

ଅଭିନେତା ଜଣକ ଏପରି ଚରମ ପଦକ୍ଷେପ ପାଇଁ ତାଙ୍କ ଲିଭ୍-ଇନ୍ ବାନ୍ଧବୀଙ୍କୁ ଦାୟୀ କରିଛନ୍ତି, ଯାହାଙ୍କ ସହ ସେ ଗତ ଅକ୍ଟୋବର ମାସରୁ ସମ୍ପର୍କରେ ଅଛନ୍ତି । ମହିଳା ଜଣକ ତାଙ୍କ ନାମରେ ଥାନାରେ କେସ୍ କରିବା ସହ ତାଙ୍କୁ ବିବାହ କରିବାକୁ ଧମକାଉଛନ୍ତି । ସେ ଏବେ ଋଣଭାରରେ ବୁଡ଼ିଥିବା ବେଳେ ମହିଳା ଜଣକ ତାଙ୍କୁ ଆର୍ଥିକ ଶୋଷଣ କରୁଥିବା ରାଓ ଅଭିଯୋଗ କରିଛନ୍ତି । ତାଙ୍କର ଏଭଳି ଆର୍ଥିକ ଦୁରବସ୍ଥା ପାଇଁ ସେଇ ବାନ୍ଧବୀ ଦାୟୀ ବୋଲି କହିଛନ୍ତି । ରାଓଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ।