ସରପଞ୍ଚରୁ କେନ୍ଦ୍ରମନ୍ତ୍ରୀ । ଦିନେ ଥିଲେ ସରପଞ୍ଚ, ଆଜି ହେଲେ କେନ୍ଦ୍ରମନ୍ତ୍ରୀ । ଜାଣନ୍ତୁ ଏହି ନେତା କିଏ?

3,790

କନକ ବ୍ୟୁରୋ: ସରପଞ୍ଚରୁ କେନ୍ଦ୍ରମନ୍ତ୍ରୀ । ଏକଥାକୁ ସହଜରେ ବୋଧହୁଏ କେହି ବି ବିଶ୍ୱାସ କରିପାରିବେନି । ହେଲେ ଏହାକୁ ସତ କରି ଦେଖାଇଛନ୍ତି ମହାରାଷ୍ଟ୍ରର ନେତା କପିଲ ପାଟିଲ । ଆଜି ସେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

କପିଲ ପାଟିଲ ହେଉଛନ୍ତି ମହାରାଷ୍ଟ୍ରର ଜଣେ ଆଗଧାଡିର ନେତା । ସେ ୧୯୮୮ ମସିହାରୁ ୧୯୯୨ ମସିହା ପର୍ଯ୍ୟନ୍ତ ଡିଭେ-ଅଞ୍ଜୁର ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ରାଜନୀତିରେ ସେ ଆଗକୁ ବଢିବା ସହିତ ଥାନେ ଜିଲ୍ଲା କୋପରେଟିଭ ବ୍ୟାଙ୍କର ଚେୟାରମ୍ୟାନ୍ ଏବଂ ପରେ ପରେ ୧୯୯୨ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ଭିୱାଣ୍ଡି ପଞ୍ଚାୟତ ସମିତିର ସଦସ୍ୟ ଏବଂ ପରେ ଏହାର ସଭାପତି ହୋଇଥିଲେ । ଏହାପରେ ରାଜନୀତିର ଶିଡି ଚଢିବା ସହିତ ସେ କଂଗ୍ରେସକୁ ମାତ୍ ଦେଇ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରୁ ଲଢିବା ସହିତ ଆଜି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ସରପଞ୍ଚରୁ ଜଣେ ନେତା କେନ୍ଦ୍ରମନ୍ତ୍ରୀ ହେବା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।