ଟିମ୍ ଇଣ୍ଡିଆ ପାଇଁ ନୂଆ କୋଚ୍ ବାଛିବେ କପିଲଦେବ । ୩ ଜଣିଆ କମିଟିର ନେତୃତ୍ୱ ନେବେ କପିଲ ।

969

କନକ ବ୍ୟୁରୋ : ଭାରତୀୟ ଟିମ୍ ପାଇଁ ନୂଆ କୋଚ୍ ବାଛିବେ କପିଲଦେବ । ବିଶ୍ୱକପ ସେମିଫାଇନାଲରେ ଭାରତର ପରାଜୟ ପରେ ଏବେ ବିସିସିଆଇ ଟିମରେ ବଡ ପରିବର୍ତ୍ତନ କରିପାରନ୍ତି । ଏପରିକି ମୁଖ୍ୟ କୋଚ ପଦରୁ ରବି ଶାସ୍ତ୍ରୀଙ୍କ ବଦଳରେ ନୂଆ କୋଚ୍ ଖୋଜିବା ଆରମ୍ଭ କରିଛି ବିସିସିଆଇ । ଆଉ ଏଥିପାଇଁ ଦରଖାସ୍ତ ଆହ୍ୱାନ କରିଛି ବୋର୍ଡ । ତେବେ କିଏ ହେବ ଭାରତୀୟ ଟିମର ନୂଆ କୋଚ୍ ତାହାକୁ ନେଇ ଏବେ ସସପେନ୍ସ ଲାଗି ରହିଛି । ମୁଖ୍ୟ କୋଚ୍ ବାଛିବା ପାଇଁ ନୂଆ କ୍ରିକେଟ ପରାମର୍ଶଦାତା ସମିତି ଗଠନ କରିବ ବିସିସିଆଇର ସିଓଏ ।ଯାହାର ନେତୃତ୍ୱ ୧୯୮୩ ବିଶ୍ୱକପ ବିଜେତା ଟିମର ଅଧିନାୟକ କପିଲଦେବ ନେବେ ବୋଲି ଜଣାପଡିଛି । ଆଉ ଏହି ସମିତିରେ କପିଲଙ୍କ ସହ ଅଂଶୁମାନ ଗାୟକୱାଡ ଓ ଶାନ୍ତା ରଙ୍ଗାସ୍ୱାମୀ ମଧ୍ୟ ସାମିଲ ରହିବେ ।

ଏ ସର୍ମ୍ପକରେ ତିନି ପୂର୍ବତନ କ୍ରିକେଟରଙ୍କୁ ସିଓଏଙ୍କ ପକ୍ଷରୁ ସୂଚିତ କରାଯାଇଛି । ଏପରିକି ଏହି ପ୍ରସ୍ତାବରେ ମଧ୍ୟ ତିନି ଜଣ ନିଜର ସମ୍ମତି ପ୍ରଦାନ କରିଛନ୍ତି । ଏହାପୂର୍ବରୁ କ୍ରିକେଟ ପରାମର୍ଶଦାତା କମିଟିରେ ଥିବା ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣ ଭାରତର ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ନାଁରେ ମୋହର ମାରିଥିଲେ ।

ବିସିସିଆଇର ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତୀୟ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୩୦ ରହିଛି । ଆଉ ଏହାପରେ ସମସ୍ତ ଆବେଦନକୁ କ୍ରିକେଟ ପରାମର୍ଶଦାତା କମିଟିକୁ ଦିଆଯିବ । କ୍ରିକେଟ ପରାମର୍ଶଦାତା କମିଟି କେବଳ ମୁଖ୍ୟ କୋଚ୍ ବାଛିପାରିବେ କିନ୍ତୁ ଟିମର ଅନ୍ୟ ସହାୟକ ଷ୍ଟାର୍ଫଙ୍କୁ ବିସିସିଆଇର ସିଇଓ ରାହୁଲ ଜୋହରି କରିବେ ।