୧୯୮୩ ମସିହା ବିଶ୍ୱକପର ରୋଚକ କାହାଣୀ । ଯେବେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ମଦ ମାଗିଥିଲେ କପିଳ ଦେବ ।

1,426

କନକ ବ୍ୟୁରୋ : ଭାରତକୁ ସେ ଦେଇଥିଲେ ପ୍ରଥମ ବିଶ୍ୱକପ । ତାଙ୍କ ଅଧିନାୟକ୍ୱରେ ଭାରତ ପ୍ରଥମ କ୍ରିକେଟ ବିଶ୍ୱକପ ଜିତି ରଚିଥିଲା ଇତିହାସ । ସେଥିପାଇଁ ତାଙ୍କୁ ଭାରତୀୟ କ୍ରିକେଟ ଟିମର ସଫଳ କ୍ୟାପଟେନ ମଧ୍ୟ କୁହାଯାଏ । ସେ ହେଉଛନ୍ତି ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ଖେଳାଳି କପିଳ ଦେବ । ଆଜି କପିଳ ଦେବଙ୍କ ଜନ୍ମଦିନ । ଆଜି ୬୨ ବର୍ଷରେ ପହଞ୍ଚିଛନ୍ତି ଏହି କ୍ରିକେଟର ।

ଭାରତକୁ ୧୯୮୩ ମସିହାରେ କପିଳ ଦେବ ଯେଉଁ ବିଜୟର ସ୍ୱାଦ ଦେଇଥିଲେ ତାକୁ କେବେ ବି ଭୁଲି ପାରିବେନି ଦେଶବାସୀ । ଡିପେଣ୍ଡିଙ୍ଗ ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଥିଲା । ଆଉ ଏହି ମ୍ୟାଚ ଶେଷରେ ଘଟିଥିଲା ଏକ ରୋଚକ ଘଟଣା । ଯାହା କେହି ବି ଜାଣି ନାହାନ୍ତି । ବିଶ୍ୱକପ ବିଜୟ ଉତ୍ସବ ମନାଇବା ପାଇଁ କପିଳ ଦେବ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ମାଗିଥିଲେ ମଦ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଘଟଣା ପଛର ସତ ।

ସେଦିନ ଥାଏ ୧୯୮୩ ମସିହା ଜୁନ ୨୫ ତାରିଖ । ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଥାଏ । ଆଉ ଫାଇନାଲ ମ୍ୟାଚ ଖେଳୁଥାନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ଦଳରେ ଅନେକ ଘାତକ ବୋଲର ରହିଥିଲେ । ଏହାସହ ୱେଷ୍ଟଇଣ୍ଡିଜର ବ୍ୟାଟିଂ ଲାଇନ ମଧ୍ୟ ବେଶ ଶକ୍ତିଶାଳୀ ଥିଲା । କାରଣ ଦଳରେ ଥିଲେ ଭିଭାନ ରିଚାର୍ଡସଙ୍କ ଭଳି ଖେଳାଳି । ଆଉ ଗତ ଦୁଇଟି ସିଜିନରେ ମଧ୍ୟ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇ ଆସିଥିଲା । ସମସ୍ତଙ୍କ ବିଶ୍ୱାସ ଥାଏ ଏଥର ମଧ୍ୟ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହେବ ।

ଏହି ମ୍ୟାଚରେ ଭାରତ ପ୍ରଥମ ବ୍ୟାଟିଂ କରିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ସାମ୍ନା କରିଥିଲେ ୱେଷ୍ଟଇଣ୍ଡିଜର ଘାତକ ବୋଲରମାନଙ୍କୁ । ଦଳରେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସୁନିଲ ଗାଭାସ୍କର, ମହିନ୍ଦ୍ର ଅମରନାଥ ଓ ଶ୍ରୀକାନ୍ତଙ୍କ ଭଳି ବ୍ୟାଟ୍ସମ୍ୟାନ ଫେଲ ମରିଥିଲେ । ଫଳରେ ଦଳ ମାତ୍ର ୧୮୩ ରନ କରିଥିଲା ।

ସମସ୍ତେ ଭାବି ନେଇଥିଲେ ଏହି ମ୍ୟାଚ ୱେଷ୍ଟଇଣ୍ଡିଜ ହିଁ ଜିତିବ । ଆଉ ୱେଷ୍ଟଇଣ୍ଡିଜ ଦଳ ମଧ୍ୟ ବିଜୟ ଉତ୍ସବ ପାଳନ କରିବାକୁ ପୂର୍ବରୁ ପ୍ରସ୍ତୁତ କରିସାରିଥିଲେ । ହେଲେ ଠିକ ସମୟରେ ସବୁ ଏପଟ ସେପଟ ହୋଇଯାଇଥିଲା । ଭାରତୀୟ ବୋଲରଙ୍କ ଦମଦାର ବୋଲିଂରେ ଚିତପତାଙ୍ଗ ହୋଇଯାଇଥିଲା କାରବିଆନ ଦଳ । ୱେଷ୍ଟଇଣ୍ଡିଜ ଦଳକୁ ୧୪୦ ରନରେ ଅଲଆଉଟ କରିବା ସହ ୪୩ ରନରେ ଏହି ମ୍ୟାଚକୁ ଜିତି ନେଇଥିଲା ।

ଏହି ମ୍ୟାଚ ଶେଷ ହେବା ପରେ ଡ୍ରେସିଂ ରୁମରେ ଘଟିଥିଲା ଏକ ରୋଚକ ଘଟଣା । ମ୍ୟାଚ ଜିତିବା ପରେ କପିଳ ଦେବ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ଡ୍ରେସିଂ ରୁମକୁ ଯାଇଥିଲେ । ଆଉ ସେଠାରେ ତାଙ୍କ ସହ ହାତ ମିଳାଇଥିଲେ । ହେଲେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ମୁହଁରେ ଥିଲା ନିରାଶା ଛାୟା । ଆଉ ଡ୍ରେସିଂ ରୁମରୁ ଫେରିଲା ବେଳେ କପିଳ ଦେବଙ୍କ ନଜରରେ ପଡିଲା ଗୋଟିଏ କୋଣରେ ରଖାଯାଇଥିବା ମଦ ଆଉ କିଛି ଜିନିଷ ଉପରେ । ଯାହାକୁ ନବା ପାଇଁ କପିଳ ଦେବ କ୍ଲାଇଭ ଲୋୟେଡଙ୍କୁ କହିଥିଲେ । ଆଉ କ୍ଲାଇଭ ଲୋୟେଡ ସବୁ ଜିନିଷ କପିଳ ଦେବଙ୍କୁ ଦେଇ ଦେଇଥିଲେ ।

କପିଳ ଦେବ ଓ ମହିନ୍ଦ୍ର ଅମରନାଥ ସବୁ ଜିନିଷ ଆଣି ରାତି ସାରା ଡ୍ରେସିଂ ରୁମରେ ପାର୍ଟି କରିଥିଲେ । ତେବେ ଏହି ଘଟଣା କପିଳ ଦେବଙ୍କ ସବୁଠାରୁ ମଜାଦାର ସ୍ମୃତି ବୋଲି ସେ କହିଛନ୍ତି ।