କନକ ବ୍ୟୁରୋ: ଆରମ୍ଭ ହେଇସାରିଛି ବିଶ୍ୱକପ୍, ବାଜି ସାରିଛି ଫଟାଫଟ୍ କ୍ରିକେଟର ବିଗୁଲ । ଟିମ୍ ଇଣ୍ଡିଆ ୱାର୍ମଅପ୍ ମ୍ୟାଚରେ ନିଜର ଜଲୱା ଦେଖେଇବା ସହ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ହରେଇ ସାରିଛି । ଆଉ ବିଶ୍ୱକପ୍ ଜିତିବା ଦୌଡରେ ଏବେ ଆଗରେ ରହିଛି ରୋହିତ ବାହିନୀ । ହେଲେ ଏତିକି ବେଳେ ବିଶ୍ୱକପକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ।

Advertisment

ଟି-୨୦ ୱାଲ୍ଡକପ୍ ଉପରେ ଭବିଷ୍ୟବାଣୀ କରି କପିଳ କହିଛନ୍ତି – ଏଥର ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲ ବି ଖେଳିନପାରେ । ଯଦି ବି ଭାରତ ସେମିଫାଇନାଲ ଖେଳୁଛି । ତେବେ ଏହା ଦଳ ପାଇଁ ସବୁଠୁ ବଡ କଥା ହେବ । ଭାରତ ବିଶ୍ୱକପ୍ ସେମିଫାଇନାଲ ଖେଳିବା ଆଶା ବହୁତ କମ୍ ବୋଲି ଭବିଷ୍ୟବାଣୀ କରିଛନ୍ତି କପିଳ ଦେବ । ଏଥିସହ ଟପ-୪ରେ ଭାରତ ପହଂଚିବାର ଚାନ୍ସ କେବଳ ୩୦ ପ୍ରତିଶତ ଅଛି ବୋଲି ୧୯୮୩ ବିଶ୍ୱକପ୍ ବିଜୟୀ ଅଧିନାୟକ ଭବିଷ୍ୟବାଣୀ କରିଛନ୍ତି ।

କପିଳ ଦେବଙ୍କ କହିବା କଥା, ଅଲରାଉଣ୍ଡର କୌଣସି ବି ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ଲେୟାର ଅଟନ୍ତି । ଅଲରାଉଣ୍ଡର ଟିମର ଶକ୍ତି ବଢେଇଥାନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲରାଉଣ୍ଡର ଅଧିନାୟକ ପାଇଁ ଷଷ୍ଠ ବୋଲର ଭାବେ ବି କାମ କରିପାରନ୍ତି । ଭଲ ବ୍ୟାଟିଂ ସହିତ ବୋଲିଂ ଆଉ ଫିଲଡିଂରେ ପାଣ୍ଡ୍ୟା ଦଳ ପାଇଁ ଭଲ କାମ କରିବେ ବୋଲି କପିଳ କହିଛନ୍ତି । ହେଲେ ବିଶ୍ୱକପରେ ଦଳ ଫାଇନାଲରେ ପହଂଚିପାରିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି କପିଲ ଦେବ ।

ଟିମ୍ ଇଣ୍ଡିଆ ଆଗ ସେମିଫାଇନାଲରେ ପହଞ୍ଚୁ । ଏହାପରେ ଦଳ ଟାଇଟଲ୍ ଜିତିବ କି ନା ସେନେଇ ଆଲୋଚନା ହେବ । ତେବେ ପୂର୍ବରୁ ଦଳରେ ଭଲ ଅଲରାଉଣ୍ଡର ରହୁଥିଲେ । ହେଲେ ବର୍ତମାନର ଦଳରେ ଅଲରାଉଣ୍ଡରଙ୍କ ସଂଖ୍ୟା କମିଗଲାଣି । ଯେଉଁମାନେ କି ଦଳର ମ୍ୟାଚ୍ ବିଜୟରେ ପ୍ରମୁଖ ଭୂମିକା ତୁଲେଇଥାନ୍ତି । ୱାର୍ମଅପ୍ ମ୍ୟାଚ୍ ପରେ ଅକ୍ଟୋବର ୨୩ ତାରିଖରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିବ । ଏହି ମୁକାବିଲା ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ଖେଳାଯିବ । ତେଣୁ ଏହି ମ୍ୟାଚ୍ ଜିତି ଫ୍ୟାନ୍ସକୁ ଦୀପାବଳି ଭେଟି ଦେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଗ୍ରୁପ୍ ଲେଭଲରେ ଦଳ ପାକିସ୍ତାନ ସହ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଭେଟିବ । ତେଣୁ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଦଳ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି । ଦଳରେ ଏବେ ଜଶପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ଶାମି ସାମିଲ ହେଇଛନ୍ତି । ୱାର୍ମଅପ୍ ମ୍ୟାଚରେ ସାମିଙ୍କ ଚମକ୍ରାର ବୋଲିଂ ଦେଖିବାକୁ ମିଳିଛି । ଗୋଟିଏ ଓଭରରେ ସାମି ୪ଟି ୱିକେଟ୍ ନେବା ସହ, ବୁମରାଙ୍କ ସ୍ଥାନ ପୂରଣ କରିିବାକୁ ସେ ପୂରାପୂରି ଫିଟ୍ ଥିବା ଇସାର ଦେଇଛନ୍ତି ।