ବଦଳିଲେ ପୁରୀ ଏସପି । ସମ୍ବଲପୁର ଏସପି ଥିବା କେ. ବିଶାଲଙ୍କୁ ପୁରୀ ଏସପି ଭାବେ ନୂଆ ଦାୟିତ୍ୱ, ଅଖିଳେଶ୍ୱରଙ୍କୁ ମୁଖ୍ୟାଳୟକୁ ବଦଳି । ହାଜତ ମୃତ୍ୟୁକୁ ନେଇ ପୋଲିସ ଉପରେ ଉଠିଥିଲା ପ୍ରଶ୍ନ ।

314

କନକ ବ୍ୟୁରୋ : ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି ।

ଗତକାଲି ଚୋରି ଅଭିଯୋଗର ଜଣେ ଯୁବକଙ୍କୁ ଗିରଫ କରିବା ପରେ ପୋଲିସ ହାଜତରେ ଥିବା ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ହେଲା, ପୋଲିସ ଯୁବକଙ୍କୁ ଅତ୍ୟଧିକ ମାଡ ମାରିବାରୁ ତାର ମୃତ୍ୟୁ ହୋଇଯାଇଛି । ଆଉ ଏକ ସନ୍ଦେହ ସୃଷ୍ଟି କଲା ଭଳି ଘଟଣାରେ ପୁଲିସ, ମୃତ ବ୍ୟକ୍ତିଙ୍କୁ ତରବରିଆ ଭାବେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ନକରି ପୋଡି ଦେଇଥିଲା । ସେପଟେ ଏସପି ସଫେଇ ଦେଇ କହିଥିଲେ, ପୋଲିସ ସହ ଧସ୍ତାଧସ୍ତି ବେଳେ ଯୁବକଙ୍କର ମୃତ୍ୟୁ ହୋଇଛି ଏବଂ ନିୟମ ଅନୁସାରେ ଘଟଣାର ତଦନ୍ତ କରାଯାଉଛି । କିନ୍ତୁ ପୋଲିସର ଏହି ସଫେଇରେ ସନ୍ତୁଷ୍ଟ ହୋଇନଥିଲା ପୁରୀ । ସତେ ଯେମିତି ଘଟଣାକୁ ବିରୋଧ କରି ସାରା ସହର ରାସ୍ତା ଉପରକୁ ଆସିଯାଇଥିଲା ।

ଆଉ ଆଜି ହାଜତ ମୃତ୍ୟୁ ମାମଲା ଭୁବନେଶ୍ୱର ଦେଇ ଦିଲ୍ଲୀରେ ପହଁଚିଛି । ରାଜ୍ୟର ଦୁଇ ଦୁଇଟି ହାଜତ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିଥିବାବେଳେ ଜାତୀୟ ମାନବାଧିକାର କମିଶନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଘଟଣା ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ଓଡିଶା ହାଇକୋର୍ଟ । ଆଉ ଏସବୁ ଭିତରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଏବଂ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ସାମାଜିକ କର୍ମୀ ।