କଣ୍ଟାମାଳରେ କାହା ବାଟରେ କିଏ କଣ୍ଟା ? ବିଧାନସଭା କ୍ଷେତ୍ର ଗଠନ ପରଠାରୁ କବଜାରେ ରଖିଛି ବିଜେଡି, ବିଜୟର ସ୍ୱାଦ ଚାଖିବାକୁ ବିରୋଧୀ ଛଟପଟ ।

102

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଯାଉଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ତେଣୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା କ୍ଷେତ୍ରକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ବଳ କଷାକଷି । ଆଉ କିଏ ଏହି ନିର୍ବାଚନ ମଣ୍ଡଳୀର ମଙ୍ଗ ବିଜେଡି ହାତରୁ ନେଇ ଶାସନ କରିବ ସେନେଇ ସମସ୍ତ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବିବାରେ ଲାଗିଛି ।

୨୦୦୯ରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀରୁ ପୃଥକ ହୋଇ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଏକ ସ୍ବତନ୍ତ୍ର ନିର୍ବାଚନମଣ୍ଡଳୀର ମାନ୍ୟତା ଲାଭ କଲା । ନିର୍ବାଚନମଣ୍ଡଳୀ ଗଠନ ପରେ ଏଠାରେ ଦୁଇଥର ନିର୍ବାଚନ ହୋଇଛି ଏବଂ ଦୁଇଥର ଯାକ ବିଜେଡି ବିଜୟ ଏଠାରେ ବିଜୟ ତିଳକ ପିନ୍ଧିଛି । ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭଗବାନ କହଁର ୪୫,୯୭୯ ଖଣ୍ଡ ଭୋଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ ବିଜେଡି ଭଗବାନଙ୍କ ବଦଳରେ ମହୀଧର ରଣାଙ୍କୁ ପ୍ରାର୍ଥୀ କରିଥିଲା । ଏବଂ ମହୀଧର ମଧ୍ୟ ବିଜୟ ହାସଲ କରିଥିଲେ । ଦୁଇ ନିର୍ବାଚନର ଫଳାଫଳରୁ ଏହି ନିର୍ବାଚନମଣ୍ଡଳୀ ବିଜେଡିର ଦୁର୍ଗ ଭାବେ ପ୍ରତିପାଦିତ ହୋଇଛି।

ସେହିପରି ଚଳିତଥର ବିଜେଡି ନେତୃତ୍ବକୁ ଅନ୍ତଃକନ୍ଦଳର ଭୟ ଘାରିଛି । କାରଣ ବିଧାୟକ ମହୀଧର ଟିକଟ ଦୌଡ଼ରେ ପ୍ରଥମ ଦାବିଦାର ହୋଇଥିଲେ ମଧ୍ୟ ଏବଂ ତାଙ୍କ ପ୍ରତି ଦଳୀୟ ହାଇକମାଣ୍ଡଙ୍କ ସମର୍ଥନ ଥିବା କୁହାଯାଉଥିବା ବେଳେ କିଛି ଦଳୀୟ ନେତା ଓ କର୍ମୀ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି । ତେବେ ଏହି ଅନ୍ତଃକନ୍ଦଳର ପରିଣାମ ସ୍ବରୂପ ବିଜେଡିରୁ ଏବେ ଏକାଧିକ ଆଶାୟୀ ବିଧାୟକ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି। ପୂର୍ବ ବିଧାୟକ ଭଗବାନ କଁହରଙ୍କ ସମେତ ମହୀଧରଙ୍କ ରାଜନୈତିକ ଗୁରୁ ଭାବେ ପରିଚିତ ବର୍ତ୍ତମାନ ବୟନିକା ଅଧ୍ୟକ୍ଷ ଥିବା ଶେଷ ମେହେର, ବିଜେଡିର ଯୁବ ନେତା ଶ୍ରୀକାନ୍ତ ମିଶ୍ର ଏବଂ ପୂର୍ବରୁ ଦୁଇ ଥର ବ୍ଲକ ଅଧ୍ୟକ୍ଷ ରହିଥିବା ଶଙ୍କର ପ୍ରଧାନ ମଧ୍ୟ ଆଶାୟୀ ଥିବା ଚର୍ଚ୍ଚାକୁ ଆସୁଛି।

ଶାସକ ବିଜେଡିର ଅର୍ନ୍ତକନ୍ଦଳର ଫାଇଦା ବିରୋଧୀ ନେବାକୁ ରଣନୀତି ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି । ବର୍ତ୍ତମାନ କଣ୍ଟାମାଳ ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଭିନ୍ନ ଚିତ୍ର ଦେଉଛି। ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହରି ନାରାୟଣ ପ୍ରଧାନ ୨୩, ୮୩୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ସେ ପରାସ୍ତ ହେବାପରେ ଦଳରୁ ଓହରି ଯାଇଥିଲେ। ତେବେ ଏଥର କଂଗ୍ରେସ ନୂଆ ପିସିସି ସଭାପତିଙ୍କୁ ପାଇ କିଭଳି ଦଳ ଭଲ ପ୍ରଦର୍ଶନ କରିବ ତାହାର ରଣନୀତି ପ୍ରସ୍ତୁତି ଚଳାଇଛି । ଏଠାରେ ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ସଙ୍କଟ ରହିଛି । ହେଲେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁଧୀର ମହାକୁଡ଼ ଓ ପ୍ରଶାନ୍ତ ସାହୁ ପ୍ରମୁଖ ଟିକଟ ଆଶାୟୀ ରହିଛନ୍ତି । ତେବେ ନିକଟରେ ଭାଇରାଲ ହୋଇଥିବା କଂଗ୍ରେସ ଆଶାୟୀ ପ୍ରାର୍ଥୀ ତାଲିକାରେ ଏମାନଙ୍କ ନାଁ ଦେଖିବାକୁ ମିଳିଥିଲା । ଏବଂ ଦୁହିଁଙ୍କ ମଧ୍ୟରୁ କାହାକୁ ବାଛିବେ ହାଇକମାଣ୍ଡ ତାହା ଉପରୁ କିଛି ଦିନ ମଧ୍ୟରେ ପରଦା ଉଠିଯିବ ।

ସେପଟେ ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ ଦେବ ତାହା ସ୍ପଷ୍ଟ ହୋଇ ନାହିଁ। ଗତ ଦୁଇଟି ସାଧାରଣ ନିର୍ବାଚନରେ ଦଳ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ତୃଣମୂଳ ସ୍ତରରେ ସଂଗଠନକୁ ଦମ୍ଭ ମିଳିଥିଲା। କେନ୍ଦ୍ରର ହାୱାରେ ନିର୍ବାଚନ ବୈତରଣୀ ପାର ହେବା ଆଶାରେ ବିଜେପିରେ ମଧ୍ୟ ଆଶାୟୀ ମାଳ ମାଳ। ବିଜେପିରେ ଯୋଗଦେଇଥିବା ପୂର୍ବତନ କଂଗ୍ରେସ ନେତା କହ୍ନେଇ ଚରଣ ଡାଙ୍ଗ, ଯୁବ ନେତା ରାକେଶ ତ୍ରିପାଠୀ ଏବଂ ୨୦୧୪ର ବିଜେପିର ପ୍ରାର୍ଥୀ ରହିଥିବା ସୁଧାଂଶୁ ଡାଙ୍ଗ ଆଶାୟୀ ଭାବେ ଉଭା ହୋଇଛନ୍ତି । ହେଲେ ବିଜେଡି ଗଡ଼ ଭାଙ୍ଗିବାକୁ ଦଳ କାହାକୁ ମଇଦାନକୁ ଓହ୍ଲାଇବ ତାହା ସସପେନ୍ସରେ ରହିଛି ।