ଦିଲ୍ଲୀର ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ : ପ୍ରଥମେ ଭିଡିଓ ସୁଟ୍ କରି ଭାଇରାଲ୍ କରିଥିବା ଯୁବକ, ତାଙ୍କ ସହ କରିଛନ୍ତି ଠକେଇ

ସହାୟତା ଅର୍ଥ ତୋଷାରପାତ ନେଇ ଥାନାରେ କଲେ ଏତଲା

10,458

କନକ ବ୍ୟୁରୋ : ଦିଲ୍ଲୀର ‘ବାବା କା ଢାବା’ ର ମାଲିକ, ୮୦ ବର୍ଷୀୟ ବୃଦ୍ଧ କାନ୍ତା ପ୍ରସାଦ ପୁଣି ଚର୍ଚାକୁ ଆସିଛନ୍ତି । ତାଙ୍କର ପ୍ରଥମ ଭିଡିଓ ସୁଟ୍ କରିଥିବା ଯୁବକ ଗୌରବ ୱାସନଙ୍କ ନାଁରେ କାନ୍ତା ପ୍ରସାଦ ଆଣିଛନ୍ତି ସାଂଘାତିକ ଅଭିଯୋଗ । କାନ୍ତା ପ୍ରସାଦ ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ କରିଥିବା ନେଇ ସେ ଥାନାରେ ଏତଲା କରିଛନ୍ତି । ତାଙ୍କ ବିରୋଧରେ ସେ ଠକେଇ, ଦୁବ୍ୟବହାର, ବିଶ୍ୱାସଘାତକତା ଏବଂ ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗ ଆଣିଛନ୍ତି ।

ତେବେ କାନ୍ତା ପ୍ରସାଦ ଅଭିଯୋଗ ଆଣିଛନ୍ତି, ଗୌରବ ୱାସନ ତାଙ୍କର ଓ ତାଙ୍କ ସାଙ୍ଗଙ୍କ ବ୍ୟାଙ୍କ ଖାତାକୁ ଉଦ୍ଦେଶ୍ୟମୂଳକ ଭାବେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏଥିରେ ବିଭିନ୍ନ ଉପାୟରେ ତାଙ୍କ ଖାତାକୁ ଅର୍ଥ ଆସିଛି । ତେବେ ତାଙ୍କ ପାଖକୁ ଆସିଥିବା ଅର୍ଥର ସଠିକ୍ ତଥ୍ୟ ସେ ଦେଉନଥିବା କାନ୍ତା ପ୍ରସାଦ ଦିଲ୍ଲୀର ମାଲବ୍ୟନଗର ଥାନାରେ ଏତଲା କରିଛନ୍ତି । ପୋଲିସ ଅଭିଯୋଗ ପରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।

ଅନ୍ୟପକ୍ଷରେ ୱାସନ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି. ଯେ ସମସ୍ତ ଟଙ୍କା କାନ୍ତା ପ୍ରସାଦଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ।  “ଯେତେବେଳେ ମୁଁ ଭିଡିଓ ପ୍ରସ୍ତୁତ କଲି, ସେତେବେଳେ ମୁଁ ଜାଣି ନଥିଲି ଯେ ଏହା ଏତେ ଭାଇରାଲ ହେବ । ମୁଁ ଚାହୁଁ ନଥିଲି ଯେ ଲୋକମାନେ ବାବାଙ୍କୁ ହଇରାଣ କରନ୍ତୁ ତେଣୁ ମୁଁ ମୋର ବ୍ୟାଙ୍କ ବିବରଣୀ ଦେଲି।” ୱାସନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ରଖିଛନ୍ତି ଯେଉଁଥିରେ ତାଙ୍କ ବ୍ୟାଙ୍କ ଟ୍ରାନ୍ସଫରର ବିବରଣୀ ଦର୍ଶାଯାଇଛି । ସେ ଫେସବୁକ ପେଜରେ ବ୍ୟାଙ୍କ ଷ୍ଟେଟମେଣ୍ଟ ଅପଲୋଡ୍ କରିଥିବା ମଧ୍ୟ ଦାବି କରିଛନ୍ତି ।

ଗୌରବ ୱାସନ ଜଣେ ୟୁଟ୍ୟୁବର୍ | ସେ ଗତ ମାସ ଆରମ୍ଭରେ, ତାଙ୍କ ସୋସିଆଲ ମିଡିଆରେ ‘ବାବା କା ଢାବା’ ଭିଡିଓ ସୁଟ୍ କରି ପୋଷ୍ଟ କରିଥିଲେ । ଏଥିରେ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀ କାନ୍ଦୁଥିଲେ ଏବଂ ସେମାନଙ୍କ ଦୁଃଖ ପ୍ରକାଶ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ‘ବାବା କା ଢାବା’ ରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା । ତାହା ଲୋକ ଲୋଚନକୁ ଆସିଥିଲା, ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଥିଲା । ଏଥି ସହିତ ଦେଶର ବିଭିନ୍ନ ଜାଗାରୁ କାନ୍ତା ପ୍ରସାଦଙ୍କ ପାଇଁ ଛୁଟିଥିଲା ସହାୟତାର ହାତ ।