ଡାକ୍ତର, ନର୍ସଙ୍କ ଚରମ ଅବହେଳା । ଟୟଲେଟରେ ମହିଳାଙ୍କ ପ୍ରସବ, ପ୍ୟାନରେ ଖସିପଡିି ଗଲା ନବଜାତର ଜୀବନ

927
କନକ ବ୍ୟୁରୋ: ଅନେକ ଡାକ୍ତରଖାନାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ରୋଗୀ ଅବହେଳାର ଅନେକ ଉଦାହରଣ ଆପଣ ଜାଣିଥିବେ । ଏପରି ଆଉ ଏକ ଦୁଃଖଦ ଘଟଣା ଘଟିଛି କାନପୁର ହୈଲଟ ହସ୍ପିଟାଲରେ ।ପ୍ରସବ ପାଇଁ ଏହି ଡାକ୍ତରଖାନାକୁ ଆସିଥିଲେ ଜନୈକ ଦମ୍ପତ୍ତି । ହେଲେ ମିଳିନଥିଲା ଚିକିତ୍ସା । ଡାକ୍ତର କି ନର୍ସ କେହି ବି ପଚାରିଲେନି । ଫଳରେ ନିଜ ନବଜାତ ଶିଶୁକୁ ଅତି ଦୟନୀୟ ଘଟଣା କ୍ରମରେ ହରାଇଛନ୍ତି ଏହି ଦମ୍ପତ୍ତି ।
ଖବର ମୁତାବକ , ମହିଳା ଜଣଙ୍କୁ ପ୍ରବଳ ଜ୍ୱର ଥିଲା । ସେ ୮ ମାସର ଗର୍ଭବତୀ ଥିଲେ । ଜ୍ୱର ସାଙ୍ଗକୁ ତାଙ୍କର ଗର୍ଭ ଜନିତ ଯନ୍ତ୍ରଣା ମଧ୍ୟ ହୋଇଥିଲା । ଫଳରେ ତାଙ୍କୁ ତୁରନ୍ତ ପାଖ ହୈଲଟ ହସ୍ପିଟାଲକୁ ନିଆଯାଇଥିଲା ।ସେଠାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଡାକ୍ତର ଓ ନର୍ସ ଆସିଥିଲେ ସତ ହେଲେ ଦେଖିଦେଇ ଚାଲିଯାଇଥିଲେ ।ଲେବର ୱାର୍ଡରେ ଭର୍ତ୍ତି କରିବାକୁ ତାଙ୍କ ସ୍ୱାମୀ ଓ ସମ୍ପର୍କୀୟ ନେହୁରା ହୋଇଥିଲେ ବି ଏହା ତାଙ୍କର ଦାୟିତ୍ୱ ନୁହେଁ ବୋଲି କହି ଚାଲିଯାଇଥିଲେ  ସବୁ ନର୍ସ । ଏହି ସମୟରେ ମହିଳା ଜଣକ ଟୟଲେଟ ଯାଇଥିଲେ । ଦୁର୍ଭାଗ୍ୟକୁ ଟୟଲେଟ ସିଟରେ ହିଁ ତାଙ୍କର ପ୍ରସବ ହୋଇଯାଇଥିଲା । ଏବଂ ଟୟଲେଟ ପ୍ୟାନ ପାଇପ ଭିତରକୁ ଖସିଯାଇଥିଲା ନବଜାତ । ଉଦ୍ଧାର କରିବା ବେଳକୁ ଚାଲିଯାଇଥିଲା ନବଜାତ ଶିଶୁର ଜୀବନ ।
ସବୁଠାରୁ ଛାତିଥରା କଥା ହେଉଛି ଏତେ ଯନ୍ତ୍ରଣା ଭିତରେ ବି ଶିଶୁର ଗୋଡକୁ ଧରି ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ମହିଳା । ହେଲେ ନବଜାତର ମୁହଁ ପାଇପ ଭିତରେ ପଶିଯାଇଥିବାରୁ ଉଦ୍ଧାର କରିପାରିନଥିଲେ । ଚିକ୍ରାର କରିବାରୁ ଘର ଲୋକ ଆସିଥିଲେ  । ଏମରଜେନ୍ସି ୱାର୍ଡକୁ ଯାଇ ଏ ବିଷୟରେ ଜଣାଇଥିଲେ । ଇଏମଓ ଓ ଅନ୍ୟ ଷ୍ଟାଫ ଆସି ପହଞ୍ଚି ଟୟଲେଟ୍ ସିଟକୁ ଭାଙ୍ଗି ଶିଶୁକୁ ଉଦ୍ଧାର କରିବା ବେଳକୁ ନବଜାତର ନିଃଶ୍ୱାସ ଥମିଯାଇଥିଲା ଏବଂ ମହିଳାଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଥିଲା ।
ଏହି ଘଟଣାରେ ମହିଳାଙ୍କ ପରିବାର ଲୋକେ ଡାକ୍ତର ଓ ନର୍ସଙ୍କ ଉପରେ ଅଭିଯୋଗ ଆଣୁଥିବାବେଳେ ମେଡିକାଲ କର୍ତ୍ତୃପକ୍ଷ ଏହାକୁ ଘୋଡାଇବାକୁ ଚେଷ୍ଟା କରିଥିଲେ । ମହିଳାଙ୍କର କୌଣସି ପ୍ରସବ ଜନିତ ଯନ୍ତ୍ରଣା ନଥିଲା । ଏହା ପୂର୍ବରୁ ମଧ୍ୟ ଜନ୍ମ ସମୟରେ ତାଙ୍କର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇସାରିଛି । ତେଣୁ ଏଥିରେ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତରଙ୍କ କିଛି ଭୁଲ ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।