କନକ ବ୍ୟୁରୋ: କାନପୁର ପୋଲିସ କମିଶନର ଅସୀମ ଅରୁଣ ଶନିବାର ଇଚ୍ଛାକୃତ ଅବସର ନେଇଛନ୍ତି । ଏହାସହ ବିଜେପିରେ ଯୋଗ ଦେଇଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କୁ ଭେଟିବା ପରେ ଚାକିରି ଛାଡି ରାଜନୀତି କରିବାକୁ ନିଷ୍ପତ୍ତି ନେଇଛନ୍ତି ଅସୀମ ଅରୁଣ ।
କାନପୁର ପୋଲିସ କମିଶନର ଅସୀମ ଅରୁଣଙ୍କ ଭିଆରଏସକୁ ମଂଜୁରୀ ମିଳିଯାଇଛି । ଏହାସହ ସେ ଆଇପିଏସ ସେବାରୁ ନିଜକୁ ମୁକ୍ତ କରି ରାଜନୀତିରେ ପାଦ ଥାପିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କିଛି ଔପଚାରିକତା ବାକି ରହିଛି । ଅସୀମ କନୌଜ ସଦର ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ରହିଛି ।
କନୌଜ ଠଠିୟାର ବାସିନ୍ଦା ଅସୀମ ଅରୁଣ ନିଜ ଜନ୍ମମାଟିକୁ ନିଜର ରାଜନୀତି କର୍ମଭୂମି କରିବାକୁ ମନସ୍ଥ କରିଛନ୍ତି । ସେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ଯେ, ତାଙ୍କୁ ରାଜନୀତିରେ ଯୋଗ ଦେବାକୁ ପଥମେ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଅଫର ମିଳିଥିଲା । ତାଙ୍କୁ ରାଜନୀତି ପାଇଁ ଯୋଗ୍ୟ ବୋଲି ଭାବିଥିବାରୁ ସେ ଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ନିଜର ପୋଲିସ ସେବାର ଅନୁଭବକୁ ରାଜନୀତିରେ ବିନିଯୋଗ କରିବାକୁ ଚାହୁଁଛନ୍ତି ।ସେ ମହାତ୍ମା ଗାନ୍ଧୀଙ୍କ ସିଦ୍ଧାନ୍ତକୁ ନେଇ ରାଜନୀତି କରିବାକୁ ଚାହୁଁଛନ୍ତି ବୋଲି ପୋଷ୍ଟ କରିଛନ୍ତି । ରାଜନୀତିରେ ସଫଳ ହେଲେ ସେ ସମାଜର ସବୁ ବର୍ଗଙ୍କୁ ସମାନ ନ୍ୟାୟ ଦେବାକୁ ଗୁରୁତ୍ୱ ଦେବେ ବୋଲି ମଧ୍ୟ କହିଛନ୍ତି ।