ପଦ୍ମ ଘୁଂଚିଲା ଭଳି ଘୁଂଚି ଘୁଂଚି ଯାଉଛି ଯୋଡା କାନପୁର ଜଳସେଚନ ପ୍ରକଳ୍ପ: ସମୟ ଗଡିବା ସହ ବଢିଲାଣି ବ୍ୟୟ ଅଟକଳ, କିନ୍ତୁ ବିସ୍ଥାପିତଙ୍କ କଥା ବୁଝୁନି ପ୍ରଶାସନ

100

କନକ ବ୍ୟୁରୋ: ବିଗତ ୩୦ବର୍ଷ ଧରି ଆଗେଇ ଚାଲିଛି କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ। ବିସ୍ଥାପିତଙ୍କୁ ଥଇଥାନ, ୫୨୦ନମ୍ବର ଜାତୀୟ ରାଜପଥ ଉପରେ ପୋଲ ନିର୍ମାଣ, କେନାଲ୍ ପାଇଁ ଜମି ଅଧିଗ୍ରହଣ ପରି ଅନେକ ସମସ୍ୟାରେ ଛନ୍ଦି ହୋଇ ପଡିଥିବା ଏହି ପ୍ରକଳ୍ପ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ଧାର୍ୟ୍ୟ ହୋଇଛି। ଧୀର, ମନ୍ଥର ଗତିରେ ଚାଲୁଥିବା ଏହି ପ୍ରକଳ୍ପ ଏହି ସମୟ ସୀମା ମଧ୍ୟରେ ଶେଷ ହେବା ନେଇ ଉଠିଛି ପ୍ରଶ୍ନ। ଏଥିସହ, ଦୀର୍ଘ ଦିନରୁ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପରୁ ଚାଷୀ କେବେ ଉପକୃତ ହେବେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜିବୀ।

କେନ୍ଦୁଝର ଯୋଡା ବ୍ଲକ ବାସୁଦେବପୁର ନିକଟରେ ୨୦୦୬ ମସିହାରୁ ନିିର୍ମାଣ ଚାଲିଛି କାନପୁର ଜଳସେଚନ ପ୍ରକଳ୍ପ । ଏଥିପାଇଁ ଜମି, ଘର ଦ୍ୱାର ହରାଇଥିବା ବୁଡି ଅଂଚଳବାସୀ ଉପଯୁକ୍ତ କ୍ଷତିପୂରଣ ଦାବି କରି ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି । ତଥାପି ବିସ୍ଥାପିତଙ୍କୁ ଥଇଥାନ ନକରି ତରବରିଆ ଲୋକଙ୍କ ଘର ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରକଳ୍ପ ପାଇଁ ୧୩ଟି ଗାଁର ୩ ହଜାର ୯୩୩ଟି ପରିବାରକୁ ଉଚ୍ଛେଦ କରିଛି ପ୍ରଶାସନ । କିନ୍ତୁ ପ୍ରକଳ୍ପ କାମ ମନ୍ଥରପ ଗତିରେ ଚାଲଛି । ତେଣୁ ପ୍ରକଳ୍ପ କାମ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ମଧ୍ୟରେ ସରିବ ଓ ବିସ୍ଥାପିତଙ୍କ ଉପଯୁକ୍ତ କ୍ଷତିପୂରଣ ମିଳିବା ନେଇ ସନ୍ଦେହ ପ୍ରକାଶ ପାଉଛି ।

କାନପୁର ଜଳସେଚନ ପ୍ରକଳ୍ପ ଦ୍ୱାରା ୪ଟି ବ୍ଲକର ୨୪୪ଟି ଗାଁ ପାଣି ପାଇବ । ୪୩୧ କୋଟି ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ପ୍ରକଳ୍ପର ଖର୍ଚ୍ଚ ଏବେ ୨ ହଜାର ୪୩୮କୋଟିରେ ପହଂଚିଛି । ପୂର୍ବରୁ ଅନେକ ସମସ୍ୟା ଭିତରେ ଛନ୍ଦି ହୋଇପଡିଥିବା କାନପୁର ପ୍ରକଳ୍ପ କାମ ୨୦୨୩ ଡିସେମ୍ବର ମାସ ସୁଦ୍ଧା ସାରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଯୋଡା ଫ୍ଲାଏ ଓଭର, ବଡବିଲ ରିଂ ରୋଡ, ୫୨୦ ନମ୍ବର ଜାତୀୟ ରାଜପଥ କାମ ନିର୍ଦ୍ଧଷ୍ଟ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ମାଣ କାମରେ ବିଳମ୍ବ ହେବାରୁ ପ୍ରକଳ୍ପର ବ୍ୟୟ ଅଟକଳ ବଢୁଛି । ତେଣୁ ତୁରନ୍ତ କାନପୁର ପ୍ରକଳ୍ପ କାମ ସାରି, ଚାଷୀଙ୍କୁ ପାଣି ଯୋଗାଇବା ସହ ବିସ୍ଥାପିତଙ୍କୁ ଥଇଥାନ କରିବାକୁ ଦାବି ହୋଇଛି ।