ଆତ୍ମହତ୍ୟା କଲେ ୨୫ ବର୍ଷୀୟ ଅଭିନେତ୍ରୀ । ସୁଇସାଇଡ ନୋଟରେ ଲେଖିଲେ ଏମିତି କଥା । 

430

କନକ ବ୍ୟୁରୋ : କନ୍ନଡ ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା । ନିଜେ ରହୁଥିବା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି ସୌଜନ୍ୟା । ଘର ଭିତରୁ ସୌଜନ୍ୟାଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ । ଆଜି ସକାଳେ ସୌଜନ୍ୟାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ।

ମାତ୍ର ୨୫ ବର୍ଷ ବୟସରେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଛନ୍ତି ସୌଜନ୍ୟା । ଆଉ ଏହି ଘଟଣା କନ୍ନଡ ଟିଭି ଜଗତରେ ଶୋକର ଛାୟା ଖେଳାଇଦେଇଛି । ସୌଜନ୍ୟାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିବା ବେଳେ ଏକ ମାମଲା ମଧ୍ୟ ରୁଜୁ କରିଛି । ସୁଇସାଇଡ ନୋଟ ଜବତ କରିଥିଲେ ମଧ୍ୟ ଆତ୍ମହତ୍ୟାର ବିଭିନ୍ନ ଦିଗକୁ ଯାଞ୍ଚ କରୁଛି ପୋଲିସ ।

ତିନି ପୃଷ୍ଠା ବିଶିଷ୍ଟ ସୁଇସାଇଡ ନୋଟରେ ସୌଜନ୍ୟା ଏଭଳି ନିଷ୍ପତ୍ତି ନେଉଥିବାରୁ ବାପା-ମା’ଙ୍କୁ କ୍ଷମା ମାଗିଛନ୍ତି । ସୁଇସାଇଡ ନୋଟରେ ୩ ଦିନର ତାରିଖ ରହିଛି । ଅଥାର୍ତ ୩ ଦିନ ପୂର୍ବରୁ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇ ସାରିଥିଲେ ସୌଜନ୍ୟା । ଟିଭିରେ ଅଭିନୟ କରୁଥିବାରୁ ସୌଜନ୍ୟା ବାଙ୍ଗାଲୋରକୁ ସିଫ୍ଟ ହୋଇଥିଲେ । ତେବେ ମିଳିଥିବା ସୂଚନା ମୁତାବକ, ସୌଜନ୍ୟା ନିଜର ଖରାପ ସ୍ୱାସ୍ଥ୍ୟବସ୍ଥା ଓ ଟିଭି ଜଗତରେ ସାମ୍ନା କରୁଥିବା ସମସ୍ୟା ପାଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏପରିକି ସୁଇସାଇଡ ନୋଟରେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା କଥା ଲେଖିଛନ୍ତି ସୌଜନ୍ୟା । ତେବେ ଏଭଳି ନିଷ୍ପତ୍ତି ଉଠାଇଥିବାରୁ ସୌଜନ୍ୟା ବାପା-ମା’ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।