କାଳ ହେଲା ଓଜନ କମାଇବା ନିଶା। ଭୁଲ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ

2,522

କନକ ବ୍ୟୁରୋ: ଅଭିନେତ୍ରୀଙ୍କୁ ଘାରି ଥିଲା ଓଜନ କମାଇବାର ନିଶା । କରାଇଥିଲେ କସ୍ମେଟିକ୍ସ ସର୍ଜରୀ । ହେଲେ ଏହି ସର୍ଜରୀ ତାଙ୍କ ପାଇଁ ହେଲା କାଳ । ଭୁଲ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ । ଅକାଳରେ ଆଖିବୁଜିଲେ ଟିଭି ଆକ୍ଟ୍ରେସ୍ ଚେତନା ରାଜ ।ଏପରି ଅଭାବନୀୟ ଘଟଣା ଘଟିଛି ବେଙ୍ଗାଳୁରୁର ଏକ ଘରୋଇ ହସ୍ପିଟାଲରେ ।

 ଅକାଳରେ ଝରିପଡିଛି କନ୍ନଡ ଅଭିନେତ୍ରୀ ତଥା ଲୋକପ୍ରିୟ ଟିଭି ଅଭିନେତ୍ରୀ ଚେତନା ରଙ୍କକ୍ସ ।ସୂଚନା ମୁତାବକ, ଚେତନା ରାଜ କନ୍ନଡ ଟିଭି ଜଗତରେ ଜଣେ ଲୋକପ୍ରିୟ କଳାକର । ହେଲେ ସେବାର ତାଙ୍କର ବେଙ୍ଗାଳୁରୁର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, କସମେଟିକ ସର୍ଜରୀ ନେଲା ଜୀବନ। ଏପରି ସର୍ଜରୀ କରି ଆଖି ବୁଜିଲେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜ। ଚେତନାଙ୍କ ବିୟୋଗ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।ଗତକାଲି ଚେତନା କସମେଟିକ ସର୍ଜରୀ କରାଇଥିବା ବେଳେ ଏହାପରେ ତାଙ୍କ ମୃତ୍ୟୁ ହୋଇଛି ।  ସର୍ଜରୀ ସମୟରେ ଫୁସଫୁସରେ ପାଣି ଜମିଯିବାରୁ ତାହା ତାଙ୍କ ପାଇଁ ଘାତକ ସାଜିଲା ବୋଲି କୁହାଯାଉଛି । ଏଥିପାଇଁ ତାଙ୍କ ବାପାମା’ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ମାମଲା ରୁଜୁ କରିଛନ୍ତି ।

ଚେତନା ଗତକାଲି ବାଙ୍ଗାଲୋରର ସେଟ୍ଟି କସମେଟିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ଫ୍ୟାଟ ଫ୍ରି ସର୍ଜରୀ ହୋଇଥିଲା। ମାତ୍ର ଏହାପରେ ତାଙ୍କ ଫୁସଫୁସରେ ପାଣି ଜମିବା ସହ ଅବସ୍ଥା ଗୁରୁତର ହେବାରେ ଲାଗିଲା। ଏହାପରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା। ସର୍ଜରୀ ନିମନ୍ତେ ଚେତନା ନିଜ ସାଙ୍ଗମାନଙ୍କ ସହ ହସ୍ପିଟାଲ ଯାଇଥିବା ବେଳେ ଏନେଇ ନିଜ ପରିବାର ଲୋକଙ୍କୁ ଜଣାଇ ନ ଥିଲେ। ମେଡିକାଲ ତରଫରୁ ମଧ୍ୟ ଏ ନେଇ ଚେତନାଙ୍କ ପରିବାର ଲୋକଙ୍କୁ କୌଣସି ଖବର ଦିଆଯାଇ ନ ଥିଲା।

କସମେଟିକ ସର୍ଜରୀ ନିମନ୍ତେ ଝିଅ ସେମାନଙ୍କ ନିକଟରୁ କୌଣସି ଅନୁମତି ଆଣି  ନଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ବି ସେମାନଙ୍କୁ ଅବଗତ କରି ନ ଥିବା ଚେତନାଙ୍କ ବାପାମା’ ଅଭିଯୋଗ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଝିଅର ଜୀବନ ଗଲା ବୋଲି ତାଙ୍କ ବାପାମା’ ଅଭିଯୋଗ କରିବା ସହ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଚେତନାଙ୍କ ମୃତଦେହ ହସ୍ପିଟାଲରେ ଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।