ଅପପୁଷ୍ଟି ମୁକାବିଲା ପାଇଁ କାଞ୍ଜି ସାଜିବ ମାଧ୍ୟମ । ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଶିକ୍ଷୟିତ୍ରୀଙ୍କ କୃତିତ୍ୱ

194

କନକ ବ୍ୟୁରୋ : ଅପପୁଷ୍ଟିର ମୁକାବିଲା କରିବ କାଞ୍ଜି । ସହର ଓ ଗାଁରେ ଅପପୁଷ୍ଟିର ମୁକାବିଲା ପାଇଁ କାଞ୍ଜିକୁ ସମାଧାନର ରାସ୍ତା ବତାଇ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଶିକ୍ଷୟିତ୍ରୀଙ୍କ କୃତିତ୍ୱ । ଭୁବନେଶ୍ୱର ନୟାପଲ୍ଲୀର ସୁନୀତା ପଟ୍ଟନାୟକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଏପରି କୃତିତ୍ୱ ହାସଲ କରିଛନ୍ତି । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଶିକ୍ଷୟିତ୍ରୀ ଅଛନ୍ତି ସୁନୀତା । ପୁରସ୍କାର ବାବଦକୁ ତାଙ୍କୁ ୨୫ ହଜାର ଟଙ୍କା ମିଳିଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ ପକ୍ଷରୁ ‘ମେରି ପୌଷ୍ଟିକ ରଷୋଇ-୨୦୨୦’ର ଅନ୍ଲାଇନ୍ ପ୍ରତିଯୋଗିତା ହୋଇଥିଲା ।

ଆଉ ଏହି ପ୍ରତିଯୋଗିତାର ଶୀର୍ଷକ ଥିଲା ପାରମ୍ପରିକ ଓ ସାଧାରଣ ପରିବାରରେ ଉପଲବ୍ଧ ଖାଦ୍ୟ ଜରିଆରେ କିଭଳି ଅପପୁଷ୍ଟିର ମୁକାବିଲା କରାଯାଇପାରିବ । ସୁନୀତା କହିଥିଲେ କିପରି ପଖାଳରୁ ତିଆରି କାଞ୍ଜି ଉଭୟ ପିଲା ଓ ଗର୍ଭବତୀ ମହିଳାଙ୍କ ଅପପୁଷ୍ଟିର ମୁକାବିଲା କରିପାରିବ । ଏହା ପୁଷ୍ଟିକର ଓ ପେଟକୁ ମଧ୍ୟ ଥଣ୍ଡା ରଖେ ବୋଲି ସେ ଯୁକ୍ତି ବାଢିଥିଲେ । ଏହି ପ୍ରତିଯୋଗିତାରେ ୧୧୪ ସହର, ୨୩ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳର ୧୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ୨ ବର୍ଷ ପରେ ବିଜୟୀ ପ୍ରତିଯୋଗୀଙ୍କ ନାଁ ଘୋଷଣା ହୋଇଥିଲା ।