“ଗୋଟିଏ ମୂହୁର୍ତ୍ତ ପାଇଁ ଆପଣ ଭାରତ କଥା ଭୁଲିଯାଆନ୍ତୁ , କିନ୍ତୁ କାନାଡାରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ଯେପରି ବଢିଚାଲିଛି ତାହା କେବଳ ଭାରତ ନୁହେଁ କାନାଡା ପାଇଁ ମଧ୍ୟ ବିପଦର କାରଣ”
ସେପ୍ଟେମ୍ବର ୧୭ ରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି।
ପ୍ରକୃତରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଯେଉଁ ଖଲିସ୍ତାନ ଆତଙ୍କବାଦୀମାନଙ୍କୁ ବଞ୍ଚାଇବା ପାଇଁ ଆଜି ଭାରତ ସହ ଟକ୍କର ଦେଉଛନ୍ତି ସେହି ଖାଲିସ୍ତାନୀ ଆତଙ୍କବାଦୀ ମାନେ ୩୮ ବର୍ଷ ତଳେ ଏକ ବିମାନରେ ବିସ୍ପୋରଣ କରି ରେ ୨୬୮ କାନାଡିୟ ନାଗରିକଙ୍କୁ ହତ୍ୟା କରିଥିଲେ ।
ଆସନ୍ତୁ ଆଜି ଏହି କାହାଣୀରେ ଆମେ ଜାଣିବା କେମିତି ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୮୨ ରେ ଖାଲିସ୍ତାନୀ ଆତଙ୍କବାଦୀମାନେ ୩୨୯ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ…
ତାରିଖ -୨୨ ଜୁନ୍, ୧୯୮୫ ସମୟ ରାତି ୩.୩୦ ସ୍ଥାନ – କାନାଡାର ଭାଙ୍କୋଭର ବିମାନବନ୍ଦର
ମଞ୍ଜିତ ସିଂ ନାମକ ଜଣେ ଶିଖ ବ୍ୟକ୍ତି କାନାଡାର ଭାଙ୍କୋଭରରୁ ଟରୋଣ୍ଟୋ ଯିବାକୁ ରାତି ୩.୩୦ ରେ ବିମାନବନ୍ଦରରେ ପ୍ରବେଶ କରନ୍ତି । ତାଙ୍କର ଟିକେଟ କନଫର୍ମ ହେଇନଥାଏ । ସେ ବିମାନବନ୍ଦରରେ ଉପସ୍ଥିତ ଥିବା ଏଜେଣ୍ଟଙ୍କୁ ଅନୁରୋଧ କରନ୍ତି କି ଯଦି ସେ ଯାଇ ନପରିବେ ତେବେ ଦୟାକରି ତାଙ୍କର ଲଗେଜକୁ ବିମାନ ନମ୍ବର ୧୮୨ରେ ଭାରତ ପଠେଇଦିଆଯାଉ ।
ଏଜେଣ୍ଟ ଜଣକ ପ୍ରଥମେ ମନା କରନ୍ତି କିନ୍ତୁ ଯାତ୍ରୀ ଭିଡ଼ ଯୋଗୁଁ ତାଙ୍କ ଅନୁରୋଧରେ ରାଜି ହୋଇଯାନ୍ତି । ଏହା ପରେ ମଞ୍ଜିତ ସିଂ ପାଦରେ ଠେଲି ସୁଟକେସକୁ ଚେକ-ଇନ କରେଇ ଦିଅନ୍ତି । ସେତେବେଳେ ଏହାପ୍ରତି କେହି ଏତେ ଧ୍ୟାନ ଦେଇନଥିଲେ । ସେ ଅତି ସହଜରେ ନିଜ ଉଦ୍ଦେଶ୍ୟରେ ସଫଳ ହେଇ ଯାଇଥିଲା । ଏହିପରି ଭାବରେ ତାଙ୍କର ଲଗେଜ୍ ଭାନକୋଭରରୁ ଟରୋଣ୍ଟୋ ଅଭିମୁଖେ ଯାଉଥିବା ବିମାନରେ ରଖି ଦିଆଯାଇଥିଲା ।
ପ୍ରାୟ ତିନି ଘଣ୍ଟା ପରେ ବିମାନଟି ଟରୋଣ୍ଟୋ ଅଭିମୁଖେ ଯାତ୍ରା ଆରମ୍ଭ କରେ । ବିମାନ ରାତି ୮.୨୨ ରେ ଟରୋଣ୍ଟୋରେ ପହଞ୍ଚେ । ଏହା ପରେ ଭାରତ ଅଭିମୁଖେ ଯାଉଥିବା ଯାତ୍ରୀ ଏବଂ ଲଗେଜ୍ ‘କନିଷ୍କ’ ନାମକ ଏୟାର ଇଣ୍ଡିଆ ବିମାନ 182କୁ ସ୍ଥାନାନ୍ତରିତ କରାଯାଏ । ଏହି ବିମାନଟି ଟରୋଣ୍ଟୋରୁ ଲଣ୍ଡନ ଦେଇ ଭାରତକୁ ଯିବାର ଥିଲା । ମଞ୍ଜିତ ସିଂ ପଠେଇଥିବା ସୁଟକେସଟି ସେହି ବିମାନର ଲଗେଜ ପାଇଁ ଉଦ୍ଧିଷ୍ଟ ସ୍ଥାନରେ ରହିଥାଏ । ଲଗେଜ ସ୍ଥାନାନ୍ତରିତ ସମୟରେ ମଞ୍ଜିତ ସିଂ ପଠେଇଥିବା ସୁଟକେସକୁ ମଧ୍ୟ ବିନା ଯାଞ୍ଚରେ ‘କନିଷ୍କ’ ରେ ରଖିଦିଆଯାଏ । ବିମାନ କର୍ମଚାରୀମାନେ ଏହା ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ ଯେ ସମ୍ପୃକ୍ତ ଲଗେଜ୍ ମାଲିକ ସେହି ବିମାନରେ ଯାତ୍ରା କରୁଛି କି ନାହିଁ । ଏହିପରି ଭାବେ କିଛି ଲୋକଙ୍କର ଅସାବଧନତା ଯୋଗୁଁ ବହୁ ଲୋକଙ୍କର ଜୀବନ ବାଜିରେ ଲାଗିଯାଏ ।
ତାରିଖ- ଜୁନ୍ ୨୩ , ୧୯୮୫ ରାତି ୧୨.୧୫
ଏୟାର ଇଣ୍ଡିଆ ବିମାନ 182 (କନିଷ୍କ) ଟରୋଣ୍ଟୋରୁ ଉଡ଼ି ମଣ୍ଟ୍ରିଲ୍ ଦେଇ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଅଭିମୁଖେ ଉଡାଣ ଆରମ୍ଭ କରେ । ଲଣ୍ଡନରେ ପହଞ୍ଚିବାକୁ ଆଉ ମାତ୍ର ୪୫ ମିନିଟ ବାକିଥାଏ । ହଠାତ ବିମାନଟି ରାଡ଼ାରରୁ ଅଦୃଶ୍ୟ ହେଇଯାଏ । ଏହି ବିମାନରେ ୩୨୨ ଯାତ୍ରୀ ଏବଂ ୨୨ କର୍ମଚାରୀ ଥିଲେ । କଣ୍ଟ୍ରୋଲ ରୁମ ତରଫରୁ ବିମାନକୁ ଖୋଜିବାକୁ ଚେଷ୍ଟା କରାଯାଏ । ସେହି ରୁଟରେ ଆସୁଥିବା ଅନ୍ୟ ଦୁଇଟି ବିମାନକୁ କନିଷ୍କ ସମ୍ବନ୍ଧରେ ପଚରାଯାଏ କିନ୍ତୁ ସେମାନେ ତାହାକୁ ଦେଖି ନାହାନ୍ତି ବୋଲି କୁହନ୍ତି ।
କିଛିସମୟ ପରେ ଅନ୍ୟଏକ ମାଲବାହୀ ବିମାନ କଣ୍ଟ୍ରୋଲ ରୁମକୁ ଏମିତି ଏକ ମେସେଜ ଦିଏ ଯାହାଶୁଣି ସମସ୍ତଙ୍କ ଭିତରେ କମ୍ପନ ସୃଷ୍ଟି ହୁଏ ।
ପ୍ରକୃତରେ ମାଲବାହୀ ବିମାନ ସୂଚନା ଅନୁସାରେ ସେ ଆଟଲାଣ୍ଟିକ ମହାସାଗରରେ କନିଷ୍କ ବିମାନର ଅବଶେଷ ଭାସୁଥିବାର ଦେଖିଛି ବୋଲି କହିଥିଲା । ପରେ ଅନୁସନ୍ଧାନରୁ ଜଣାପଡିଲା ଯେ ବିମାନଟି ଆୟର୍ଲାଣ୍ଡ ଉପକୂଳରେ ପହଞ୍ଚିବା ମାତ୍ରେ ବିମାନରେ ଏକ ବିରାଟ ବିସ୍ଫୋରଣ ହେଇଥିଲା । ଏହି ସମୟରେ ଏହି ବିମାନଟି ୩୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ବିମାନଟି ଅଗ୍ନି ପିଣ୍ଡୁଳା ରେ ପରିଣତ ହୋଇଯାଇଥିଲା । ଏହି ବିସ୍ପୋରଣରେ ବିମାନରେ ଥିବା କୌଣସି ଯାତ୍ରୀ ଜୀବିତ ନଥିଲେ ।
ଉଦ୍ଧାର କର୍ମଚାରୀମାନେ ମାତ୍ର ୧୮୧ ଜଣଙ୍କ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ମଧ୍ୟରୁ ୨୬୮ ଜଣ ଭାରତୀୟ ମୂଳ କାନାଡୀୟ ନାଗରିକ ଥିଲେ।
ଆମେରିକାରେ 9/11 ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଏୟାର ଇଣ୍ଡିଆ ଫ୍ଲାଇଟ୍ 182 ର ବିସ୍ଫୋରଣ ହେଉଛି ବିଶ୍ୱର ସର୍ବବୃହତ ବିମାନ ଚଳାଚଳ ସମ୍ବନ୍ଧୀୟ ଆତଙ୍କବାଦୀ ଆକ୍ରମଣ ।
କାନାଡାର ଖାଲିସ୍ତାନୀ ଆତଙ୍କବାଦୀମାନେ ଏହି ବିମାନ ଆକ୍ରମଣ କରିଥିବାର ଅଭିଯୋଗ ହେଇଥିଲା । କିନ୍ତୁ କାନାଡା ସରକାର ଏହି ଘଟଣାରେ ଏତେ ତତ୍ପରତା ଦେଖାଇ ନଥିଲା । ପ୍ରମାଣ ଅଭାବରୁ ଗିରଫ ହୋଇଥିବା ସମସ୍ତ ଆତଙ୍କବାଦୀ ନିର୍ଦୋଷରେ ଖଲାସ ହେଇଯାଇଥିଲେ । କେବଳ ମାତ୍ର ଜଣକୁ ଦୁଇ ହଜାର ଡଲାର ଜୋରିମାନା କରାଯାଇଥିଲା ତାହା ପୁଣି ଅନ୍ୟ ଏକ ମାମଲାରେ ।
ଏହି ଘଟଣାରେ ଅନୁସନ୍ଧାନ ରିପୋର୍ଟରେ କାନାଡାର ସୁରକ୍ଷା ବ୍ୟବସ୍ଥାର ତ୍ରୁଟିକୁ ଦାୟୀ କରାଯାଇଥିଲା । ଏହି ଘଟଣାର ଅନୁସନ୍ଧାନ କରିଥିବା କାନାଡାର ପୂର୍ବତନ ସୁପ୍ରିମକୋର୍ଟର ଜଷ୍ଟିସ ଜନ୍ ମେଜର କହିଛନ୍ତି ଯେ କାନାଡା ସରକାର ଏହାର ଘଟଣାର ସଠିକ ତଦନ୍ତ କରିବା ଆବଶ୍ୟକ ଥିଲା । ଜନ ମେଜର ଏହି ଦୁର୍ଘଟଣା ପାଇଁ କାନାଡା ସରକାର, ରୟାଲ କାନାଡିୟ ମାଉଣ୍ଟେଡ ପୋଲିସ ଏବଂ କାନାଡିୟ ସୁରକ୍ଷା ଇଣ୍ଟେଲିଜେନ୍ସ ସର୍ଭିସକୁ ଦାୟୀ କରିଥିଲେ। ଅନୁସନ୍ଧାନ ପରେ ୨୦୧୦ ରେ କାନାଡା ସରକାର କେବଳ ଔପଚାରିକତା ଦୃଷ୍ଟିରୁ ପୀଡିତ ମାନଙ୍କୁ ଆନୁଷ୍ଠାନିକ ଭାବରେ କ୍ଷମା ମାଗିଥିଲା । ଏହି ମାମଲାରେ ଅଭିଯୁକ୍ତ ରିପୁଦମମନ ସିଂ ଙ୍କୁ ୨୦୨୨ ମସିହାରେ ହତ୍ୟା କରାଯାଇଥିଲା।
Follow Us