କାହିଁକି ରାଜପରିବାରରେ ଲାଗିଲା ରକ୍ତ ଛିଟା ? ମାନସିକ ଚାପ ପୁଅକୁ ସଜାଇ ଦେଲା ମା’ର ହତ୍ୟାକାରୀ ?

187

କନକ ବ୍ୟୁରୋ : କନିକା ରାଜପରିବାର ହତ୍ୟାକାଣ୍ଡ ଘଟଣା ଚାରିଆଡେ ଚର୍ଚ୍ଚାରେ ବିଷୟ ହୋଇଥିଲା । ହେଲେ ଯେଉଁ ରାଜପରିବାରର ଏବେ ବି ଅଚଳାଚଳ ସମ୍ପତି ରହିଛି, ସେହି ପରିବାରରେ କାହିଁକି ହତ୍ୟାକାଣ୍ଡ ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଥିଲା । ସମ୍ପତି ପାଇଁ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି, ତାହା ଜାଣିବା ପାଇଁ ସମସ୍ତଙ୍କ ଭିତରେ ଉତ୍ସୁକତା ବଢ଼ି ଯାଇଥିଲା । ଆଉ ସେହି ରହସ୍ୟ ଉପରୁ ପରଦା ହଟାଇଛି କମିଶନରେଟ୍ ପୋଲିସ ।

କାହିଁକି ରାଜପରିବାରରେ ଲାଗିଲା ରକ୍ତ ଛିଟା ? ମାନସିକ ଚାପ ପୁଅକୁ ସଜାଇ ଦେଲା ମା’ର ହତ୍ୟାକାରୀ ? କନିକା ରାଜପରିବାର ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ । ହତ୍ୟାକାଣ୍ଡର କାରଣ ନେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ମୃତକ ଜଣକ ଘରର ସବୁ କିଛି ଆର୍ଥିକ କାରବାର ବୁଝୁଥିଲେ, ଯାହାକୁ ପୁଅ ଆଦୌ ପସନ୍ଦ କରୁନଥିଲେ । ପୁଅ ନିଜେ ଆର୍ଥିକ ବୋଝ ଭିତରେ ମାନସିକ ଚାପରେ ଥିଲେ । ଭାଈ ଭଉଣୀଙ୍କ ଭିତରେ ସମ୍ପତିକୁ ନେଇ ବିବାଦ ରହିିଥିଲା, ଯାହା କୋର୍ଟରେ ବିଚାରାଧୀନ ଅଛି । ଦାମ୍ପତ୍ୟ ଜୀବନରେ ବିଫଳତା ପାଇଁ ମାଆଙ୍କୁ ଦାୟୀ କରୁଥିଲେ । ସମ୍ପତିର ଉତ୍ତରାଧିକାରୀ କିଏ ହେବ ଦୁଶ୍ଚିନ୍ତାରେ ରହୁଥିଲେ । ଏଥିସହ ହତ୍ୟାକାଣ୍ଡ ପୂର୍ବ ଯୋଜନା ନୁହେଁ, ହଠାତ ମା’ ପୁଅ ଭିତରେ କଳି ବେଳେ ହତ୍ୟାକାଣ୍ଡ ଘଟିଛି ।

ବୁଧବାର ସକାଳେ କନିକା ରାଜାଙ୍କ ନାତୁଣୀ ବୋହୁ ୭୫ ବର୍ଷୀୟ ପରେଶ କୁମାରୀ ଓ ପୁଅ ଗୋପାଳ ଭଞ୍ଜଦେଓଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଝଗଡା ସମୟରେ ଅଚାନକ ଏକ କଟୁରୀରେ ପରେଶ କୁମାରୀଙ୍କୁ ଆକ୍ରମଣ କରିଥିଲେ ଗୋପାଳ । ଆକ୍ରମଣରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡି ଯାଇଥିଲେ ମାଆ ପରେଶ କୁମାରୀ । ଆଉ ଘଟଣାସ୍ଥଳରେ ଆଖି ବୁଜି ଦେଇଥିଲେ ।

ଗୋପାଳ ତିନି ଥର ବିବାହ କରିଥିଲେ ବି ତାଙ୍କର କୌଣସି ବିବାହ ସଫଳ ହୋଇନଥିଲା । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଦ୍ୱିତୀୟ ପତ୍ନୀ ଛାଡି ଚାଲିଯାଇଥିଲେ । ତୃତୀୟ ପତ୍ନୀ ବି ପାଖରେ ରହି ନଥିଲେ । ଏଥିସହ ଆର୍ଥିକ ଚାପ ଯୋଗୁଁ ଗୋପାଳ ମାନସିକ ଚାପରେ ରହୁଥିଲେ । ଆଉ ମାନସିକ ଚାପ ଯୋଗୁଁ ଶେଷରେ ମାତୃହନ୍ତା ପାଲଟି ଯାଇଥିଲେ । ଯାହାଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି ପୋଲିସ ।