କନକ ବ୍ୟୁରୋ : ପ୍ରଦେଶ କଂଗ୍ରେସ ତାର ଶହେ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ନବରଙ୍ଗପୁରରେ ବିଶାଳ ସମାବେଶର ଆୟୋଜନ କରାଯାଇଛି । ଏଥିରେ ଆକର୍ଷଣ ପାଲଟିଛନ୍ତି ଦଳର ଦୁଇ ଯୁବନେତା, ଜିଗନେସ ମେୱାନି ଓ କହ୍ନେୟା କୁମାର । କଂଗ୍ରେସ ନେତା କହ୍ନେୟା କୁମାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ପେଟ୍ରୋଲ ପମ୍ପରେ ବଡ ବଡ ପୋଷ୍ଟର ମାରି ନିଜସ୍ୱ ପ୍ରଚାର ସହ ମୋଦି ମନର କଥା କହି, ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା କହିଛନ୍ତି କହ୍ନେୟା ।
ଏହାସହ କହ୍ନେୟା କହିଛନ୍ତି, ଦେଶରେ ଏବେ ଏମିତି ଏକ ସମୟ ଆସିଛି ଯେଉଁଠି ସରକାର ସବୁ କିଛି ବିକିବାକୁ ଯୋଜନା କରୁଛନ୍ତି । ଆଉ ଏହାକୁ ବଞ୍ଚାଇବାକୁ ଆମେ ଲଢେଇ କରୁଛୁ । ଇଂରେଜ ସରକାର ସହ ଯେଉଁ ଦଳ ଲଢେଇ କରିଛି ସେ ଦଳ ଏହି ଲଢେଇରେ କେବେ ବି ପଛଘୁଞ୍ଚା ଦେବନି । ତେଣୁ ଦେଶବାସୀ ଏମିତି ଏକ ପ୍ରଧାନମନ୍ତ୍ରୀ ବାଛନ୍ତୁ ଯିଏ ଦେଶବାସୀଙ୍କ କଥା ବୁଝିପାରିବ । ଏବେ ସରକାର ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସେହି ଟଙ୍କା ଯଦି ଦେଶବାସୀଙ୍କ ପାଇଁ ଖର୍ଚ୍ଚ ହ୍ରୁଅନ୍ତା ତେବେ ଦେଶ ବିକାଶ ପଥରେ ଆଗେଇ ଯାଆନ୍ତା । କିନ୍ତୁ ଦେଶର ବିକାଶ ବଦଳରେ ନିଜର ବିକାଶ କରୁଛନ୍ତି ସରକାର । ଆଉ ଏହି ସରକାରଙ୍କ ବିରୋଧରେ ଯେତେବେଳେ କେହି ସ୍ୱର ଉଠାଉଛି ସେତେବେଳେ ସତ କହୁଥିବା ଲୋକଙ୍କ ଉପରେ ମିଛ ମାମଲା କରି ଜେଲରେ ଭର୍ତ୍ତି କରାଯାଉଛି ।
କେବଳ କେନ୍ଦ୍ର ସରକାରଙ୍କୁ ନୁହେଁ ବରଂ ରାଜ୍ୟ ସରକାରଙ୍କୁ ବାଣ ମାରିଛନ୍ତି କହ୍ନେୟା । ବିଜେଡିକୁ ବିଜେପିର ଡି ଟିମ ବୋଲି କହିବା ସହ ତାଚ୍ଛଲ୍ୟ କରିଛନ୍ତି । ବିଜ୍ଞାପନ ଜରିଆରେ ମିଛର ପ୍ରଚାର କରାଯାଉଥିବା କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କହ୍ନେୟା ।
ଅନ୍ୟପଟେ ଗୁଜରାଟ ବଡଗାମରୁ ବିଧାୟକ ଥିବା ଜିଗନେସ ମେୱାନି, ଏହି ସଂକଳ୍ପ ସମାବେଶରେ ଯୋଗଦେଇ ଓଡ଼ିଶା ସରକାରଙ୍କୁ କଟାକ୍ଷର ତୀର ମାରିଛନ୍ତି । କର୍ପୋରେଟ ଲୁଟର ଆଡ୍ଡା ପାଲଟିଛି ଓଡ଼ିଶା, ଆଦିବାସୀଙ୍କ ଜମି ଓ ଜଙ୍ଗଲ ସେମାନଙ୍କ ଇଚ୍ଛା ବିରୋଧରେ ଶିଳ୍ପପତିଙ୍କୁ ଟେକି ଦିଆଯାଉଥିବା ଅଭିଯୋଗ ବାଢିଛନ୍ତି । କେନ୍ଦ୍ରରେ ମୋଦି, ଅମିତ ଶାହଙ୍କ ସହ ଏକାଠି ହୋଇ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କାମ କରୁଥିବା ସେ କହିଛନ୍ତି । ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା । ମମିତା ମେହେର ହତ୍ୟା ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।