କନକ ବ୍ୟୁରୋ : କଂଗ୍ରେସରେ ସାମିଲ ହେବା ପରେ ପ୍ରଥମଥର ବିଜେପି ଉପରେ ବର୍ଷିଛନ୍ତି ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର । କଂଗ୍ରେସ ଦଳରେ କାହିଁକି ମିଶିଲେ ତାହା ଉପରୁ କହ୍ୱେୟା ପରଦା ହଟାଇଛନ୍ତି । ଦେଶରେ ବିଜେପି ଯେଉଁଭଳି ସରକାର ଚଳାଉଛି ତାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ଭୟରେ ପ୍ରଶ୍ନ ଉଠାଉଛନ୍ତି । ଗୁଜୁରାଟରେ ଡ୍ରଗ୍ସ ଜବତ ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ସରକାର ଚୁପ୍ । ଚାଷୀ ୯ ମାସ ହେବ ଧାରଣାରେ ବସିଥିଲେ ମଧ୍ୟ ସରକାର ସମସ୍ୟା ଶୁଣୁନାହାନ୍ତି । ଏଭଳିସ୍ଥଳେ କଂଗ୍ରେସ ଦଳ ହିଁ ସରକାରଙ୍କୁ ପ୍ରଶ୍ନ କରୁଛି । ଏହାଛଡା ବିଜେପି ଦେଶରେ କଂଗ୍ରେସ ମୁକ୍ତ ଭାରତର ଘୋଷଣା କରି ଏକଛତ୍ରବାଦ ଶାସନ ଚଳାଇବାକୁ ଚାହୁଁଛି ଯାହା ଭାରତୀୟ ଗଣତନ୍ତ୍ର ପ୍ରତି ବିପଦ । କାରଣ ଦେଶରେ କଂଗ୍ରେସ ହିଁ ସବୁଠୁ ବଡ ବିରୋଧୀ ଦଳ । କିନ୍ତୁ ଦେଶକୁ ବିରୋଧୀ ଦଳ ମୁକ୍ତ କରି କଣ ବାର୍ତ୍ତା ଦେବାକୁ ଚାହୁଁଛି ବିଜେପି । ତେଣୁ ଏଭଳି ଆଭିମୁଖ୍ୟ ରଖୁଥିବା ବିଜେପି ଦଳ ବିରୋଧରେ ଲଢେଇ କରିବାକୁ କଂଗ୍ରେସର ହାତ ଧରିଥିବା କହିଛନ୍ତି କହ୍ନେୟା ।
ସେହିଭଳି ଜେଏନୟୁ ଏଭଳି ଏକ ସଂସ୍ଥାନ ଯେଉଁଠି ଭିନ୍ନ ଭିନ୍ନ ବିଚାରଧାରାର ବ୍ୟକ୍ତି ଆସିଥାନ୍ତି । ଜେଏନୟୁକୁ ନେଇ ଯେଉଁ ମିଥ୍ୟା ପ୍ରଚାର କରାଯାଉଛି ବାସ୍ତବରେ ତାହା ସତ ନୁହେଁ । କାରଣ ଜେଏନୟୁରୁ ଅନେକ ଛାତ୍ରଛାତ୍ରୀ ଦେଶକୁ ବିଭିନ୍ନ ସ୍ତରରେ ଗର୍ବିତ କରିଛନ୍ତି, ସରକାରରେ ମନ୍ତ୍ରୀ ଅଛନ୍ତି, ଜାତିସଂଘରେ ପାକିସ୍ତାନକୁ ଶକ୍ତ ଜବାବ ଦେଉଛନ୍ତି । କିନ୍ତୁ ଜେଏନୟୁର ପରିଚୟକୁ ଏମାନେ କେବଳ ମୋ ସହ ଯୋଡୁଛନ୍ତି । ମୋ ବିଚାରଧାରାକୁ ଜେଏନୟୁ ସହ ଯୋଡି ସଂସ୍ଥାକୁ ବଦନାମ କରୁଛନ୍ତି । କେତେବେଳେ ଟୁକୁଡା ଟୁକୁଡା ଗ୍ୟାଙ୍ଗ କହୁଛନ୍ତି, ତ ପୁଣି କେତେବେଳେ ଦେଶଦ୍ରୋହୀର ଟ୍ୟାଗ୍ ଦେଉଛନ୍ତି । ତେବେ ସେହି ବିଜେପିର ହିଁ ଟୁକୁଡା ଟୁକୁଡା କରିବୁ ବୋଲି କହିଛନ୍ତି କହ୍ନେୟା । ଯେଉଁ ଲୋକ ବିଜେପିକୁ ଶାସନ କ୍ଷମତାରେ ବସାଇଛନ୍ତି ସେହି ଲୋକ ହିଁ ବିଜେପିକୁ ଶାସନ କ୍ଷମତାରୁ ହଟାଇବେ ବୋଲି ଦମ୍ଭ ଦେଖାଇଛନ୍ତି କହ୍ନେୟା ।
Follow Us