ଯଦି ଜେଏନୟୁ ନଥାନ୍ତା…ମୁଁ ଦିଲ୍ଲୀର କେଉଁ ହୋଟେଲରେ ପ୍ଲେଟ୍ ସଫା କରୁଥାନ୍ତି । ପଢନ୍ତୁ, ଏପରି କାହିଁକି କହିଲେ କହ୍ନେୟା କୁମାର…

214

କନକ ବ୍ୟୁରୋ: “ଯଦି ଜେଏନୟୁ ନଥାନ୍ତା, ତେବେ ମୁଁ ଦିଲ୍ଲୀର କେଉଁ ହୋଟେଲରେ ପ୍ଲେଟ୍ ସଫା କରୁଥାନ୍ତି । ଏହା କେବଳ କଂଗ୍ରେସ କାରଣରୁ ସମ୍ଭବ ହୋଇଛି; କାହିଁକି ନାଁ କଂଗ୍ରେସ ପାର୍ଟି ସବୁବେଳେ ଜନମଙ୍ଗଳକୁ ଗୁରୁତ୍ୱ ଦେଇଆସିଛି । ଏହାକୁ ଦେଖି ହିଁ ମୁଁ କଂଗ୍ରେସରେ ସାମିଲ ହୋଇଛି । ବିଜେପି ଆମକୁ ଟୁକଡା ଟୁକଡା ଗ୍ୟାଙ୍ଗ କହୁଛି । ହେଲେ ବିଜେପିକୁ ହିଁ ଏବେ ଟୁକଡା ଟୁକଡା କରିଦେବୁ”, ଶୁକ୍ରବାର କିଛି ଏଭଳି ଢଙ୍ଗରେ ବିଜେପି ଓ ମୋଦୀ ସରକାର ଉପରେ ବର୍ଷିଛନ୍ତି ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି ତଥା କଂଗ୍ରେସ ନେତା କହ୍ନେୟା କୁମାର ।

କମ୍ୟୁନିଷ୍ଟ ପାର୍ଟି ଛାଡି କହ୍ନେୟା ଏବେ ହାତ ଧରିଛନ୍ତି । ଆଉ କଂଗ୍ରେସରେ ସାମିଲ ହେବା ପରେ ବିଜେପି ଉପରେ ପ୍ରଥମ ଥର ବର୍ଷିଛନ୍ତି ଏହି ଯୁବ ନେତା । ତେବେ ବିଜେପିକୁ ଟାର୍ଗେଟ କରିବା ସହିତ ଜେଏନୟୁ ଉପରେ ମଧ୍ୟ ଟିପ୍ପଣୀ ରଖିଛନ୍ତି କହ୍ନେୟା । କହିଛନ୍ତି, ଜେଏନୟୁ ଏଭଳି ଏକ ଶିକ୍ଷାନୁଷ୍ଠାନ, ଯେଉଁଠି ଭିନ୍ନ ଭିନ୍ନ ଚିନ୍ତାଧାରର ବ୍ୟକ୍ତି ରହିଛନ୍ତି । ଜେଏନୟୁର ଛାତ୍ର ମୋଦୀ ସରକାରରେ ମନ୍ତ୍ରୀ ଅଛନ୍ତି, ଜାତିସଂଘରେ ଭାରତର ଟେକ ରଖି ପାକିସ୍ତାନକୁ କଡା ଜବାବ ଦେଉଛନ୍ତି । ହେଲେ ଏବେକାର ସରକାର ଜାଣିଶୁଣି ଆମକୁ ଟୁକଡା ଟୁକଡା ଗ୍ୟାଙ୍ଗ କହିବା ସହିତ ଦେଶଦ୍ରୋହୀ କହୁଛନ୍ତି । ହେଲେ ଏବେ ବିଜେପିକୁ ହିଁ ଟୁକଡା ଟୁକଡା କରିଦେବୁ ବୋଲି କହିଛନ୍ତି କହ୍ନେୟା କୁମାର ।

ଅନ୍ୟପଟେ କଂଗ୍ରେସକୁ ଏବେ ଶକ୍ତିଶାଳୀ କରିବାର ସମୟ ଆସିଛି । ଦେଶର ପ୍ରମୁଖ ବିରୋଧୀ ଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ଶକ୍ତିଶାଳୀ ହେବ । ନିର୍ବାଚନ ଜିତିବାକୁ କିମ୍ବା ହାରିବାକୁ ମୁଁ କଂଗ୍ରେସରେ ସାମିଲ ହୋଇନି । ଏକ ମହତ ଉଦ୍ଦେଶ୍ୟ ରଖି ମୁଁ କଂଗ୍ରେସରେ ସାମିଲ ହୋଇଛି । ଦେଶର ପ୍ରତିଟି ଯୁବକ, ଯୁବତୀ ଏହି ଅଭିଯାନରେ ସାମିଲ ହୁଅନ୍ତୁ । ଆଉ କଂଗ୍ରେସ ନେତୃତ୍ୱକୁ ଭରସା କରି ଦେଶରେ ଏକ ରାଜନୈତିକ ବିକଳ୍ପ ସୃଷ୍ଟି କରିବାକୁ ପ୍ରୟାସ କରନ୍ତୁ ବୋଲି କହ୍ନେୟା କହିଛନ୍ତି ।

ଏଥିସହିତ କଂଗ୍ରେସ ଦଳରେ କାହିଁକି ମିଶିଲେ ତାହା ଉପରୁ ମଧ୍ୟ କହ୍ନେୟା ପରଦା ହଟାଇଛନ୍ତି । ଦେଶରେ ବିଜେପି ଯେଉଁଭଳି ସରକାର ଚଳାଉଛି ତାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ଭୟରେ ପ୍ରଶ୍ନ ଉଠାଉଛନ୍ତି । ଗୁଜୁରାଟରେ ଡ୍ରଗ୍ସ ଜବତ ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ସରକାର ଚୁପ୍ । ଚାଷୀ ୯ ମାସ ହେବ ଧାରଣାରେ ବସିଥିଲେ ମଧ୍ୟ ସରକାର ସମସ୍ୟା ଶୁଣୁନାହାନ୍ତି । ଏଭଳିସ୍ଥଳେ କଂଗ୍ରେସ ଦଳ ହିଁ ସରକାରଙ୍କୁ ପ୍ରଶ୍ନ କରୁଛି । ଏହାଛଡା ବିଜେପି ଦେଶରେ କଂଗ୍ରେସ ମୁକ୍ତ ଭାରତର ଘୋଷଣା କରି ଏକଛତ୍ରବାଦ ଶାସନ ଚଳାଇବାକୁ ଚାହୁଁଛି ଯାହା ଭାରତୀୟ ଗଣତନ୍ତ୍ର ପ୍ରତି ବିପଦ । କାରଣ ଦେଶରେ କଂଗ୍ରେସ ହିଁ ସବୁଠୁ ବଡ ବିରୋଧୀ ଦଳ  । କିନ୍ତୁ ଦେଶକୁ ବିରୋଧୀ ଦଳ ମୁକ୍ତ କରି କଣ ବାର୍ତ୍ତା ଦେବାକୁ ଚାହୁଁଛି ବିଜେପି । ତେଣୁ ଏଭଳି ଆଭିମୁଖ୍ୟ ରଖୁଥିବା ବିଜେପି ଦଳ ବିରୋଧରେ ଲଢେଇ କରିବାକୁ କଂଗ୍ରେସର ହାତ ଧରିଥିବା କହିଛନ୍ତି କହ୍ନେୟା ।