ଖୁବଶୀଘ୍ର କଂଗ୍ରେସର ହାତ ଧରିପାରନ୍ତି କହ୍ନେୟା! ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା ।

528

କନକ ବ୍ୟୁରୋ :କଂଗ୍ରେସର ହାତ ଧରିପାରନ୍ତି କହ୍ନେୟା । ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଖୁବଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ଏହା ଭିତରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ କହ୍ନେୟା କୁମାର ଭେଟିଥିବା କୁହାଯାଉଛି । ତେଣୁ ଖୁବଶୀଘ୍ର କଂଗ୍ରେସରେ କହ୍ନେୟା ସାମିଲ ହେବା ନେଇ ଚର୍ଚ୍ଚା ବଢିଛି । ଏପରିକି କଂଗ୍ରେସ ପକ୍ଷରୁ ମଧ୍ୟ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବା ନେଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମାନସମନ୍ଥନ ଚାଲିଛି । କୁହାଯାଉଛି, ବିହାର ପ୍ରଦେଶର ନୂଆ ସଭାପତିଙ୍କ ନାଁ ଖୁବଶୀଘ୍ର ଘୋଷଣା କରିପାରେ କଂଗ୍ରେସ । ଆଉ ଏହାପରେ କହ୍ନେୟାଙ୍କୁ ଦଳରେ ସାମିଲ କରାଯାଇପାରେ ।

ଗତ ୨୦୧୯ରେ ବିହାରର ବେଗୁସରାଇ ଆସନରୁ ସିପିଆଇ ଟିକେଟରୁ ଲୋକସଭା ନିର୍ବାଚନ ଲଢିଥିଲେ କହ୍ନେୟା । ଏପରିକି କହ୍ନେୟାଙ୍କ ରାଲିରେ ପ୍ରବଳ ଭିଡ଼ ହେଉଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ ରହିଥିଲା । କିନ୍ତୁ ଲୋକସଭା ନିର୍ବାଚନରେ ଗିରିରାଜଙ୍କ ଠାରୁ ମାତ୍ ଖାଇଥିଲେ କହ୍ନେୟା । ତେବେ ଏହାପରେ ମୋଦି ସରକାରଙ୍କୁ ନେଇ କହ୍ନେୟାଙ୍କର ଯେଉଁ ଆଭିମୁଖ୍ୟ ରହିଥିଲା ତାହାକୁ ଦେଶର ଯୁବବର୍ଗ ବେଶ ପସନ୍ଦ କରିଥିଲେ । ଆଉ ଏଭଳି ଜଣେ ନେତାଙ୍କୁ ଦଳରେ ସାମିଲ କରିବାକୁ କଂଗ୍ରେସ ପକ୍ଷରୁ କସରତ ଆରମ୍ଭ ହୋଇଛି । ଗୋଟିଏ ପଟେ ସିପିଆଇ ନେତୃତ୍ୱ ସହ କହ୍ନେୟାଙ୍କର ସମ୍ପର୍କ ଭଲ ନଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରହିଛି । ଏପରିକି ହାଇଦ୍ରାବାଦରେ ବସିଥିବା ଦଳର ବୈଠକରେ ପାଟନା ମାରପିଟ୍ ମାମଲାକୁ ନେଇ କହ୍ନେୟାଙ୍କ ନାଁରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଥିଲା । ଯାହାକୁ ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଉପରେ ଅସନ୍ତୁଷ୍ଟ ଥିଲେ କହ୍ନେୟା । ଆଉ ଏଭଳି ସ୍ଥଳେ ଖବୁଶୀଘ୍ର କହ୍ନେୟା କଂଗ୍ରେସର ହାତ ଧରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କଂଗ୍ରେସରେ କହ୍ନେୟାଙ୍କୁ ସାମିଲ କରିବା ନେଇ ସେତେବେଳେ ଚର୍ଚ୍ଚା ବଢିଛି ଯେତେବେଳେ କଂଗ୍ରେସର ଅନେକ ଯୁବ ଚେହେରା ଦଳର ହାତ ଛାଡିଛନ୍ତି । ଏଭଳି ସ୍ଥଳେ କହ୍ନେୟାଙ୍କ ସମେତ ଗୁଜୁରାଟର ଜିଗ୍ନେଶ ମେୱାନୀଙ୍କୁ ମଧ୍ୟ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି । ଯାହାଦ୍ୱାରା ଦଳ ଛାଡିଥିବା ଯୁବ ନେତାଙ୍କ ସ୍ଥାନ ପୂରଣ କରିପାରିବ କଂଗ୍ରେସ ଏବଂ ଯୁବବର୍ଗଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ । ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଋଣନୀତି କଂଗ୍ରେସ ପ୍ରସ୍ତୁତ କରୁଥିବା କୁହାଯାଉଛି । ବିହାରରେ ଗତ ୩ ଦଶକ ହେବ ହାତ ଟେକି ପାରୁନି କଂଗ୍ରେସ । ଏପରିକି ବିହାରରେ ମହାଗଠବନ୍ଧନ କରି ଦଳକୁ ନିର୍ବାଚନ ଲଢିବାକୁ ପଡୁଛି । ତେଣୁ ବିହାରରେ ପୁଣିଥରେ କଂଗ୍ରେସକୁ କମବ୍ୟାକ କରାଇବାକୁ କହ୍ନେୟା କୁମାରଙ୍କୁ ସାଥୀରେ ନେଇପାରେ କଂଗ୍ରେସ ।