ସେପ୍ଟେମ୍ବର ୨୮ । କଂଗ୍ରେସରେ ସାମିଲ ହୋଇପାରନ୍ତି କହ୍ନେୟା ଓ ଜିଗ୍ନେଶ, ଜାଣନ୍ତୁ କଣ ରହିଛି କଂଗ୍ରେସର ଋଣନୀତି?

231

କନକ ବ୍ୟୁରୋ : ଆସନ୍ତା ୨୮ ତାରିଖରେ କଂଗ୍ରେସରେ ସାମିଲ ହୋଇପାରନ୍ତି କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନି । ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆସନ୍ତା ୨୮ରେ କଂଗ୍ରେସରେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ଏହା ଭିତରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ କହ୍ନେୟା କୁମାର ଭେଟିଥିବା କୁହାଯାଉଛି । ତେଣୁ ଖୁବଶୀଘ୍ର କଂଗ୍ରେସରେ କହ୍ନେୟା ସାମିଲ ହେବା ନେଇ ଚର୍ଚ୍ଚା ବଢିଛି । ଏପରିକି କଂଗ୍ରେସ ପକ୍ଷରୁ ମଧ୍ୟ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବା ନେଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମାନସମନ୍ଥନ ଚାଲିଛି ।

ସେହିଭଳି ଆସନ୍ତାବର୍ଷ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନିଙ୍କୁ ଦଳରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଜିଗ୍ନେଶଙ୍କ ଭଳି ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ଗୁଜୁରାଟରେ ଶକ୍ତି ବଢାଇବାକୁ ଚାହୁଁଛି କଂଗ୍ରେସ । ଆଉ ଜିଗ୍ନେଶଙ୍କ ପକ୍ଷରୁ ମଧ୍ୟ କଂଗ୍ରେସରେ ସାମିଲ ହେବା ନେଇ ଗ୍ରୀନ୍ ସିଗନାଲ ମିଳିଥିବା କୁହାଯାଉଛି । ପଟିଦାର ଆନ୍ଦୋଳନରୁ ଜିଗ୍ନେଶଙ୍କ ରାଜନୈତିକ ଯାତ୍ର୍ରା ଆରମ୍ଭ ହୋଇଥିଲା । ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିଲେ ଜିଗ୍ନେଶ । ଏହାଛଡା ଦଳିତ ସମ୍ପ୍ରଦାୟର ହୋଇଥିବାରୁ କଂଗ୍ରେସ ଜିଗ୍ନେଶଙ୍କ ମାଧ୍ୟମରେ ଗୁଜୁରାଟରେ ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ଗତ ୨୦୧୯ରେ ବିହାରର ବେଗୁସରାଇ ଆସନରୁ ସିପିଆଇ ଟିକେଟରୁ ଲୋକସଭା ନିର୍ବାଚନ ଲଢିଥିଲେ କହ୍ନେୟା । ଏପରିକି କହ୍ନେୟାଙ୍କ ରାଲିରେ ପ୍ରବଳ ଭିଡ଼ ହେଉଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ ରହିଥିଲା । କିନ୍ତୁ ଲୋକସଭା ନିର୍ବାଚନରେ ଗିରିରାଜଙ୍କ ଠାରୁ ମାତ୍ ଖାଇଥିଲେ କହ୍ନେୟା । ତେବେ ଏହାପରେ ମୋଦି ସରକାରଙ୍କୁ ନେଇ କହ୍ନେୟାଙ୍କର ଯେଉଁ ଆଭିମୁଖ୍ୟ ରହିଥିଲା ତାହାକୁ ଦେଶର ଯୁବବର୍ଗ ବେଶ ପସନ୍ଦ କରିଥିଲେ । ଆଉ ଏଭଳି ଜଣେ ନେତାଙ୍କୁ ଦଳରେ ସାମିଲ କରିବାକୁ କଂଗ୍ରେସ ପକ୍ଷରୁ କସରତ ଆରମ୍ଭ ହୋଇଛି । ଗୋଟିଏ ପଟେ ସିପିଆଇ ନେତୃତ୍ୱ ସହ କହ୍ନେୟାଙ୍କର ସମ୍ପର୍କ ଭଲ ନଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରହିଛି । ଏପରିକି ହାଇଦ୍ରାବାଦରେ ବସିଥିବା ଦଳର ବୈଠକରେ ପାଟନା ମାରପିଟ୍ ମାମଲାକୁ ନେଇ କହ୍ନେୟାଙ୍କ ନାଁରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଥିଲା । ଯାହାକୁ ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଉପରେ ଅସନ୍ତୁଷ୍ଟ ଥିଲେ କହ୍ନେୟା । ଆଉ ଏଭଳି ସ୍ଥଳେ ଖବୁଶୀଘ୍ର କହ୍ନେୟା କଂଗ୍ରେସର ହାତ ଧରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କଂଗ୍ରେସରେ କହ୍ନେୟା ଓ ଜିଗ୍ନେଶଙ୍କୁ ସାମିଲ କରିବା ନେଇ ସେତେବେଳେ ଚର୍ଚ୍ଚା ବଢିଛି ଯେତେବେଳେ କଂଗ୍ରେସର ଅନେକ ଯୁବ ଚେହେରା ଦଳର ହାତ ଛାଡିଛନ୍ତି । ଯାହାଦ୍ୱାରା ଦଳ ଛାଡିଥିବା ଯୁବ ନେତାଙ୍କ ସ୍ଥାନ ପୂରଣ କରିପାରିବ କଂଗ୍ରେସ ଏବଂ ଯୁବବର୍ଗଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ । ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଋଣନୀତି କଂଗ୍ରେସ ପ୍ରସ୍ତୁତ କରୁଥିବା କୁହାଯାଉଛି । ବିହାରରେ ଗତ ୩ ଦଶକ ହେବ ହାତ ଟେକି ପାରୁନି କଂଗ୍ରେସ । ଏପରିକି ବିହାରରେ ମହାଗଠବନ୍ଧନ କରି ଦଳକୁ ନିର୍ବାଚନ ଲଢିବାକୁ ପଡୁଛି । ତେଣୁ ବିହାରରେ ପୁଣିଥରେ କଂଗ୍ରେସକୁ କମବ୍ୟାକ କରାଇବାକୁ କହ୍ନେୟା କୁମାରଙ୍କୁ ସାଥୀରେ ନେଇପାରେ କଂଗ୍ରେସ । ସେହିଭଳି ଗୁଜୁରାଟରେ ଗତ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲା କଂଗ୍ରେସ । ତେଣୁ ଏଥର ଶାସନ କ୍ଷମତାରେ ବସିବାକୁ କଂଗ୍ରେସ ଜିଗ୍ନେଶଙ୍କ ଭଳି ଯୁବ ଚେହେରାଙ୍କୁ ଦଳରେ ସାମିଲ କରୁଛି । ଯେଉଁମାନେ ବିଭିନ୍ନ ଆନ୍ଦୋଳନର ନେତୃତ୍ୱ ନେଉଥିବେ ଏବଂ ସଂଘର୍ଷ କରି ରାଜନୀତିରେ ନିଜର ପରିଚୟ ହାସଲ କରିଥିବେ ସେହିଭଳି ଚେହେରାଙ୍କ ହାତ ଧରିବାକୁ ଚାହୁଁଛି କଂଗ୍ରେସ । ପୂରା ଦେଶକୁ ବିଜେପି ଗୁଜୁରାଟ ମଡେଲ ଦେଖାଉଥିବା ବେଳେ ଗୁଜୁରାଟରେ ଦଳକୁ ଧରାଶାୟୀ କରିବାକୁ ଉଦ୍ୟମ କରୁଛି କଂଗ୍ରେସ । ଯାହାଦ୍ୱାରା ପୂରା ଦେଶକୁ ଏକ ଭିନ୍ନ ବାର୍ତ୍ତା ଯିବ ଏବଂ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିପାରିବ ।