କଂଗ୍ରେସରେ ଯୋଗ ଦେଲେ କହ୍ନେୟା ଓ ଜିଗ୍ନେଶ । ରାହୁଲ ଉପସ୍ଥିତିରେ ଧରିଲେ କଂଗ୍ରେସ ‘ହାତ’ ।

140

କନକ ବ୍ୟୁରୋ : କଂଗ୍ରେସର ହାତ ଧରିଲେ କହ୍ନେୟା ଓ ଜିଗ୍ନେଶ । ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ସ୍ୱାଧୀନ ବିଧାୟକ ଥିବା ଜିଗ୍ନେଶ ମେୱାନି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ଦୁଇ ଯୁବ ନେତା  କହ୍ନେୟା ଓ ଜିଗ୍ନେଶ । ଏହି ଦୁଇ ନେତାଙ୍କୁ ଦଳରେ ସାମିଲ କରି ଯୁବ ନେତୃତ୍ୱଙ୍କୁ ଗୁରୁତ୍ୱ ଦେଉଥିବା ନେଇ କଂଗ୍ରେସ ସଂକେତ ଦେଇଛି । ଏହାଛଡା ଏହି ଦୁଇ ନେତାଙ୍କୁ ସାମିଲ କରି ବିହାର ଓ ଗୁଜୁରାଟରେ ଦଳକୁ ଆହୁରି ଶକ୍ତିଶାଳୀ କରିଛି କଂଗ୍ରେସ । ଆସନ୍ତାବର୍ଷ ଉତ୍ତରପ୍ରଦେଶ ଓ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ଉଭୟ କହ୍ନେୟା ଓ ଜିଗ୍ନେଶଙ୍କୁ ବଡ ଦାୟିତ୍ୱ ଦେଇପାରେ କଂଗ୍ରେସ । ଏହାଛଡା ଗୁଜୁରାଟରୁ ଜିଗ୍ନେଶ ବିଧାୟକ ଥିବା ବେଳେ ଏହା ଆସନ୍ତା ନିର୍ବାଚନରେ ଦଳକୁ ସୁହାଇବ ବୋଲି ଆକଳନ କରାଯାଉଛି ।

ପଟିଦାର ଆନ୍ଦୋଳନରୁ ଜିଗ୍ନେଶଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିଲେ ଜିଗ୍ନେଶ । ଏହାଛଡା ଦଳିତ ସମ୍ପ୍ରଦାୟର ହୋଇଥିବାରୁ କଂଗ୍ରେସ ଜିଗ୍ନେଶଙ୍କ ମାଧ୍ୟମରେ ଗୁଜୁରାଟରେ ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଗତ ୨୦୧୯ରେ ବିହାରର ବେଗୁସରାଇ ଆସନରୁ ସିପିଆଇ ଟିକେଟରୁ ଲୋକସଭା ନିର୍ବାଚନ ଲଢିଥିଲେ କହ୍ନେୟା । ଏପରିକି କହ୍ନେୟାଙ୍କ ରାଲିରେ ପ୍ରବଳ ଭିଡ଼ ହେଉଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ ରହିଥିଲା । କିନ୍ତୁ ଲୋକସଭା ନିର୍ବାଚନରେ ଗିରିରାଜଙ୍କ ଠାରୁ ମାତ୍ ଖାଇଥିଲେ କହ୍ନେୟା । ତେବେ ଏହାପରେ ମୋଦି ସରକାରଙ୍କୁ ନେଇ କହ୍ନେୟାଙ୍କର ଯେଉଁ ଆଭିମୁଖ୍ୟ ରହିଥିଲା ତାହାକୁ ଦେଶର ଯୁବବର୍ଗ ବେଶ ପସନ୍ଦ କରିଥିଲେ ।

ଜ୍ୟୋତିରାଦିତ୍ୟ ଓ ସୁସ୍ମିତା ଦେବଙ୍କ ଭଳି ଯୁବ ନେତା କଂଗ୍ରେସର ହାତ ଛାଡୁଥିବା ବେଳେ କହ୍ୱେୟା ଓ ଜିଗ୍ନେଶଙ୍କ ଭଳି ଯୁବନେତାଙ୍କୁ ଦଳରେ ସାମିଲ କରି ବିଜେପିକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି ।  ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଋଣନୀତି କଂଗ୍ରେସ ପ୍ରସ୍ତୁତ କରୁଥିବା କୁହାଯାଉଛି । ବିହାରରେ ଗତ ୩ ଦଶକ ହେବ ହାତ ଟେକି ପାରୁନି କଂଗ୍ରେସ । ଏପରିକି ବିହାରରେ ମହାଗଠବନ୍ଧନ କରି ଦଳକୁ ନିର୍ବାଚନ ଲଢିବାକୁ ପଡୁଛି । ତେଣୁ ବିହାରରେ ପୁଣିଥରେ କଂଗ୍ରେସକୁ କମବ୍ୟାକ କରାଇବାକୁ କହ୍ନେୟା କୁମାରଙ୍କୁ ସାଥୀରେ ନେଇଥାଇପାରେ କଂଗ୍ରେସ । ସେହିଭଳି ଗୁଜୁରାଟରେ ଗତ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲା କଂଗ୍ରେସ । ତେଣୁ ଏଥର ଶାସନ କ୍ଷମତାରେ ବସିବାକୁ କଂଗ୍ରେସ ଜିଗ୍ନେଶଙ୍କ ଭଳି ଯୁବ ଚେହେରାଙ୍କୁ ଦଳରେ ସାମିଲ କରିଛି । ଯେଉଁମାନେ ବିଭିନ୍ନ ଆନ୍ଦୋଳନର ନେତୃତ୍ୱ ନେଉଥିବେ ଏବଂ ସଂଘର୍ଷ କରି ରାଜନୀତିରେ ନିଜର ପରିଚୟ ହାସଲ କରିଥିବେ ସେହିଭଳି ଚେହେରାଙ୍କ ହାତ ଧରିବାକୁ ଚାହୁଁଛି କଂଗ୍ରେସ । ପୂରା ଦେଶକୁ ବିଜେପି ଗୁଜୁରାଟ ମଡେଲ ଦେଖାଉଥିବା ବେଳେ ଗୁଜୁରାଟରେ ଦଳକୁ ଧରାଶାୟୀ କରିବାକୁ ଉଦ୍ୟମ କରୁଛି କଂଗ୍ରେସ । ଯାହାଦ୍ୱାରା ପୂରା ଦେଶକୁ ଏକ ଭିନ୍ନ ବାର୍ତ୍ତା ଯିବ ଏବଂ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିପାରିବ ।