କଙ୍ଗନାଙ୍କ ପାଟିରେ ପଡିବ ତାଲା । ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିବ ସେନ୍ସର!

183

କନକ ବ୍ୟୁରୋ: ଏଥର ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଟିରେ ପଡିବ ତାଲା । ଆଉ ଦେଇପାରିବେ ନାହିଁ କୌଣସି ଜାତୀୟତା ବିରୋଧୀ ମନ୍ତବ୍ୟ । ଏହାକୁ ନେଇ ଏବେ ଆଲୋଚନା । କାରଣ ତାଙ୍କର ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ସୁପ୍ରିମ କୋର୍ଟରେ ଦାଏର ହୋଇଛି ମାମଲା । ଯାହା ଆଧାରରେ ତାଙ୍କର ସବୁ ମିଡିଆ ପୋଷ୍ଟ ଉପରେ ସୁପ୍ରିମକୋର୍ଟ ସେନ୍ସର ଲଗାଇପାରନ୍ତି ବୋଲି କୁହାଯାଉଛି ।

ତେବେ କଙ୍ଗନାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ଖୋଦ୍ ସୁପ୍ରିମ କୋର୍ଟର ଓକିଲ ଚରଣଜିତ୍ ସିଂହ ଚନ୍ଦ୍ରପାଲ । ନୂଆ କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିବା ପରେ ସରକାରଙ୍କୁ ଦୁର୍ବଳ କହିବା ସହ ଶିଖ୍ ଚାଷୀଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ବୋଲି କହି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ନେଇ ଦିଲ୍ଲୀ ଶିଖ୍ ସମ୍ପ୍ରଦାୟର ମୁଖ୍ୟ ତାଙ୍କ ବିରୋଧରେ ମାମଲା ମଧ୍ୟ ଦାଏର କରିଥିଲେ । କେବଳ ଏତିକି ନୁହେଁ ୧୯୮୪ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ନେଇ ଯେଉଁ ଶିଖ୍ ହିଂସା ହୋଇଥିଲା ତାକୁ ନେଇ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

ଏପରି ମନ୍ତବ୍ୟ ଦେଇ କଙ୍ଗନା କେବଳ ଶିଖ୍ ସମ୍ପ୍ରଦାୟକୁ ଅପମାନିତ କରୁନାହାଁନ୍ତି ବରଂ ଦଙ୍ଗାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଓକିଲ ଚନ୍ଦ୍ରପାଲ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ତେଣୁ ଏହାର ଯଥାର୍ଥ ବିଚାର କରି କଙ୍ଗନାଙ୍କ ସୋସିଆଲ ମିଡିଆ ଉପରେ ସେନ୍ସର ଲଗାଇବାକୁ ଅପିଲ କରିଛନ୍ତି ।