କୋଟିଆରେ କଙ୍ଗାରୁ କୋର୍ଟ : ଗାଁ ଲୋକ ବିଚାରକ ସାଜି ଗାଁ ଦାଣ୍ଡରେ ଦେଲେ ଶାସ୍ତି 

ପ୍ରଥମ ସ୍ତ୍ରୀ ଥିବା ସତ୍ୱେ ଅନ୍ୟ ଜଣେ ବିବାହିତ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବାରୁ ତାତିଲେ ଗାଁ ବାଲା ; ସୋସିଆଲ ମିଡିଆରେ ମାଡର ଭିଡିଓ ଭାଇରାଲ 

206

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ସୀମାନ୍ତ କୋଟିଆରେ କଙ୍ଗାରୁ କୋର୍ଟ । ଗାଁ ଲୋକେ ନିଜେ ବିଚାରକ ସାଜି ପ୍ରେମୀ ଯୁଗଳଙ୍କୁ ଶାସ୍ତି ଦେଇଛନ୍ତି । ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ବିବାହିତ ମହିଳାଙ୍କୁ ଦ୍ୱିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିବାରୁ ତାତିଯାଇଥିଲେ ଗ୍ରାମବାସୀ । ଆଉ ସେହି ପ୍ରେମୀ ଯୁଗଳଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ ମାରିଛନ୍ତି । ମହିଳାଙ୍କ ଚୁଟିକୁ ଟାଣି ତଳେ ଗଡେଇ ତଡେଇ ମାରୁଛନ୍ତି ଗାଁର ଉଭୟ ମହିଳା ଓ ପୁରୁଷ ।

ଆଉ ଗାଁର ଅନ୍ୟମାନେ ମାଡ ମାରୁଥିବା ଏହି ଦୃଶ୍ୟକୁ ଉପଭୋଗ କରୁଛନ୍ତି । କେହି କେହି ନିଜ ମୋବାଇଲରେ ମାଡ ମାରୁଥିବା ଦୃଶ୍ୟକୁ ରେକର୍ଡିଂ ମଧ୍ୟ କରୁଛନ୍ତି । ହେଲେ କେହି ଏହାର ବିରୋଧ କରି ନାହାନ୍ତି କି ଉତ୍ୟକ୍ତ ଲୋକଙ୍କ କବଳରୁ ଉଭୟ ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରିନାହାନ୍ତି । କୋଟିଆ ଅଂଚଳର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ଘରେ ପ୍ରଥମ ସ୍ତ୍ରୀ ଓ ପିଲାଛୁଆ ଥିବା ସତ୍ୱେ ପୁରୁଷ ଜଣକ ଅନ୍ୟ ଜଣେ ବିବାହିତ ମହିଳାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ । ଯାହାକୁ ଗ୍ରହଣ କରିପାରି ନାହାନ୍ତି ସଂପର୍କୀୟ ଓ ଗ୍ରାମବାସୀ । ଅନ୍ୟପଟେ ଭାଇରାଲ ଭିଡିଓ ନେଇ ପଟାଙ୍ଗୀ ପୁଲିସ ପାଖରେ କୌଣସି ସୂଚନା ନାହିଁ,  କି କୌଣସି ବ୍ୟକ୍ତି ଅଭିଯୋଗ ମଧ୍ୟ କରି ନାହାନ୍ତି । ଭିଡିଓର ସତ୍ୟାସତ୍ୟ ଯାଂଚ କରିବା ପରେ ପଦକ୍ଷେପ ନିଆଯିବ ବୋଲି ପଟାଙ୍ଗୀ ପୁଲିସ କହିଛି ।